ଥୁଆମୂଳ ରାମପୁର,୯ା୧(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମହାସମାରୋହରେ ଅନୁଷ୍ଠିତ ୨୮ତମ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬’ ଉଦ୍ଯାପିତ ହୋଇଯାଇଛି। ବ୍ଲକ ପ୍ରଶାସନ ଓ ପାଳନ କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବ କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସାଧାରଣଙ୍କ ଲୋକକଳା ଓ ସଂସ୍କୃତିର ଏକ ମହାମିଳନରେ ପରିଣତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍ ମଙ୍ଗଳବାର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରୁ ଏକ ଭବ୍ୟ ମଶାଲ ଓ କଳସ ଯାତ୍ରା ବାହାରି ଉତ୍ସବ ମଇଦାନରେ ପହଞ୍ଚିବା ପରେ ମଞ୍ଚ ଉଦ୍ଘାଟିତ ହୋଇଥିଲା। ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ୍ଯଯଯାପନୀ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟସ୍ତରୀୟ ସଫଳ କଳାକାର, ଶ୍ରେଷ୍ଠ ମହିଳା ସଶକ୍ତିକରଣ (SHG) ଗୋଷ୍ଠୀ, ପ୍ରଶାସନିକ, ଶିକ୍ଷା ଓ ବୃତ୍ତିଗତ ସଫଳତା ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ସମେତ କ୍ରୀଡ଼ା, କୃଷି ଓ ମତ୍ସ୍ୟ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ସାମ୍ବାଦିକ, ସମାଜସେବୀ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସାଂସଦ ପ୍ରତିନିଧି ପବିତ୍ର ନାଏକ, ଏଡିଏମ ତନ୍ମୟ କୁମାର ଦରୱାନ, ଆଇଟିଡିଏ ପିଏ ପ୍ରଦ୍ୟୁମ୍ନ କୁମାର ଦାସ, ମୁଖ୍ୟବକ୍ତା ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ଯୋଗଦେଇ କଳାହାଣ୍ଡିର ସୃଜନଶୀଳତା ଓ କଳା-ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ବିଡିଓ ସାଲକୋ ହେମ୍ବ୍ରମ, ତହସିଲଦାର ସତ୍ୟସନାତନ ପାଣିଗ୍ରାହୀ ଓ ଥାନା ଅଧିକାରୀ କୈବଲ୍ୟ ସେଠ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ। ଏବିଓ ହେମନ୍ତ କୁମାର ପଣ୍ଡା, ଜିପିଡିଓ ବାଲେଶ୍ୱର ନାଏକ, ଅଧ୍ୟାପକ ବବୃବାହନ ବୁଦ୍ଧିଆ ଓ ଯଦୁମଣି ନାଏକ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସ୍ଥାନୀୟ ପ୍ରଶାସନ ଓ ଯୁବଗୋଷ୍ଠୀଙ୍କୁ ସଫଳ ଆୟୋଜନ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।