ଓ୍ବାଶିଂଟନ୍, ୧୫ା୭:ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ଆକ୍ସିଓମ୍-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍ସନ୍, ସ୍ଲାଓଜ୍ ଉଜ୍ନାନ୍ସ୍କି ଏବଂ ଟିବୋର କାପୁ ସୋମବାର ଭାରତୀୟ ସମୟ ଅପରାହ୍ନ ସାଢ଼େ ୪ଟାରେ ସ୍ପେସ୍ଏକ୍ସ’ର ଡ୍ରାଗନ ମହାକାଶଯାନ ଯୋଗେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଛାଡ଼ିଛନ୍ତି। ୧୮ ଦିନ ପରେ ସ୍ପେସ୍କ୍ରାଫ୍ଟ ଆଇଏସ୍ଏସ୍ରୁ ଅଲଗା ହୋଇଛି। ୨୨ ଘଣ୍ଚାର ଯାତ୍ରା ପରେ ୪ ମହାକାଶଚାରୀ ମଙ୍ଗଳବାର ଅପରାହ୍ନ ୩ଟାରେ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ। ଆଇଏସ୍ଏସ୍ ଛାଡ଼ିବା ପୂର୍ବରୁ ଶୁଭାଂଶୁ ସେଠାରେ ଏକ ଶୂନ୍ୟ ଗୁରୁତ୍ୱାକର୍ଷଣ ପରୀକ୍ଷଣ ପ୍ରଦର୍ଶନ କରିଥିଲେ। ଜଳ ମାଧ୍ୟମରେ ସୂକ୍ଷ୍ମ ଗୁରୁତ୍ୱାକର୍ଷଣ କିପରି ଦୈନନ୍ଦିନ ପଦାର୍ଥ ବିଜ୍ଞାନକୁ ରୂପାନ୍ତରିତ କରୁଛି, ତାହା ସେ ଦର୍ଶାଇଥିଲେ। ଏହି ପରୀକ୍ଷଣରେ ଶୁଭାଂଶୁ ମହାକାଶରେ ଜଳର ଅନନ୍ୟ ଆଚରଣକୁ ବୁଝାଇଥିଲେ। ଶୁଭାଂଶୁ ସଫଳତାର ସହ ସମସ୍ତ ୭ଟି ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ପରୀକ୍ଷଣକୁ ଶେଷ କରିଥିବା ନେଇ ସୋମବାର ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଶୁଭାଂଶୁ ଆଇଏସ୍ଏସ୍ରେ ମେଥି ଏବଂ ମୁଗ ବିହନ ଗଜା କରାଇବା, ସାଇନୋ ବ୍ୟାକ୍ଟେରିଆ, ଭୋଏଜର ପ୍ରଦର୍ଶନ, ଟାର୍ଡିଗ୍ରେଡ୍ସ, ମାୟୋଜେନେସିସ୍, ଅଣୁ ଶୈବାଳ ଏବଂ ଫସଲ ବିହନ ଆଦି ଉପରେ ପରୀକ୍ଷଣ ଶେଷ କରିଥିବା ଇସ୍ରୋ କହିଛି। ଆମେରିକୀୟ ମହାକାଶ ସଂସ୍ଥା ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ମିଳିତ ଆକ୍ସିଓମ୍-୪ ମିଶନ ଯୋଗେ ଶୁଭାଂଶୁ ପ୍ରଥମ ଭାରତୀୟ ଭାବେ ଆଇଏସ୍ଏସ୍ରେ ପହଞ୍ଚିଥିଲେ।