ନୂଆଦିଲ୍ଲୀ:ନଏଡ଼ାସ୍ଥିତ ଏକ ଆପାର୍ଟମେଣ୍ଟର ଜଣେ ବାସିନ୍ଦା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜର ୧.୫ କୋଟି ଟଙ୍କା ମୂଲ୍ୟର ଫ୍ଲାଟ କାନ୍ଥରେ ଏକ କାଠ ପେନ୍ସିଲରେ ଗାତ କରୁଥିବା ଦେଖାଯାଉଛି। ଭିଡିଓରେ ସେ ଦର୍ଶାଇଛନ୍ତି ଯେ, କିପରି ଏକ ସାଧାରଣ ହାତୁଡ଼ି ସାହାଯ୍ୟରେ ପେନ୍ସିଲ୍ଟି ସିଧା କାନ୍ଥ ଭିତରକୁ ପଶିଯାଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, ”ଏହି ଗାତଟି ଏକ ପେନ୍ସିଲ ଦ୍ୱାରା ହିଁ କରାଯାଇଛି। ପ୍ରଥମେ ଡ୍ରିଲରେ ଚେଷ୍ଟା କଲି, ତା’ପରେ ପେନ୍ସିଲ ଲଗାଇଲି ଏବଂ ତାହା ସିଧା ଭିତରକୁ ଚାଲିଗଲା। ଏହି କାନ୍ଥ ଏତେ ଦୁର୍ବଳ ଯେ, ଡ୍ରିଲ୍ ଆବଶ୍ୟକତା ନାହିଁ।“ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ବିଲ୍ଡିଂର ନିର୍ମାଣ ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ‘ଧୋକା’ ବୋଲି କହିଥିବା ବେଳେ ଅନ୍ୟ କିଛି ୟୁଜର୍ସ ଏହାକୁ ବୈଷୟିକ ଦୃଷ୍ଟିରୁ ସଠିକ ବୋଲି ଯୁକ୍ତି ବାଢ଼ିଛନ୍ତି। ସେମାନେ କହିଛନ୍ତି ଯେ, ଏହି କାନ୍ଥଗୁଡ଼ିକ ଏଏସି(ଅଟୋକ୍ଲାଭ୍ଡ ଏରେଟେଡ୍ କଂକ୍ରିଟ୍)ବ୍ଲକ୍ସରେ ତିଆରି, ଯାହା ଓଜନ ନ ଧରୁଥିବା କାନ୍ଥ ଅଟେ। ଏହାର ବ୍ୟବହାର କୋଠାର ମୋଟ ଓଜନ ହ୍ରାସ କରିବା ଏବଂ ଭୂକମ୍ପ ସମୟରେ ସ୍ଥିରତା ବଢ଼ାଇବା ପାଇଁ କରାଯାଏ। ଏକ ୟୁଜର୍ ଲେଖିଛନ୍ତି, ”ଭାଇ, ଏଗୁଡ଼ିକ ଏଏସି ବ୍ଲକ୍ସ, ଯେଉଁଥିରେ ଏୟାର୍ ପକେଟ୍ସ ଥାଏ। ଏଗୁଡ଼ିକ ହାଲୁକା ହୋଇଥିବାରୁ ଡ୍ରିଲ କିମ୍ବା ପେନ୍ସିଲରେ ସହଜରେ ଗାତ ହୋଇଯାଏ।“ ତେବେ ଅନେକଙ୍କ କହିବା କଥା ଯେ ବୈଷୟିକ କାରଣ ଯାହା ବି ହେଉ, ଏତେ ଦାମୀ ଫ୍ଲାଟ୍ଟେ ‘ମଜବୁତିର ଅନୁଭବ’ ରହିବା ଜରୁରୀ। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓର ସତ୍ୟତା କିମ୍ବା କାନ୍ଥର ପ୍ରକୃତ ଗୁଣବତ୍ତା ସ୍ବାଧୀନ ଭାବରେ ଯାଞ୍ଚ କରାଯାଇ ନାହିଁ। ତଥାପି, ଏହି କ୍ଲିପ୍ ଏକ ବଡ଼ ବିତର୍କ ସୃଷ୍ଟି କରିଛି ଯେ ଆମର ‘ପ୍ରିମିୟମ’ ଆପାର୍ଟମେଣ୍ଟଗୁଡ଼ିକ ପ୍ରକୃତରେ ସେମାନଙ୍କ ଦାମ ଅନୁସାରେ ମଜଭୁତ କି ନାହିଁ।