ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଠାତ୍ ନିଆଁ ଲାଗିଯାଇଛି। ଫଳରେ ଖଳାରେ ଅମଳ କରିବାକୁ ଗଦା କରାଯାଇଥିବା ୩୫ ଭରଣ ଜମିର ଧାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ନିଆଁ ଲାଗିବା ଖବରପାଇ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ସେତେବେଳକୁ ଗ୍ରାମର ଜମିଲା ରାଉତ, ମହେଶ୍ୱର ସ୍ବାଇଁ, ନରସିଂହ ସ୍ବାଇଁ, ନନ୍ଦିନୀ ରାଉତ, ଗଙ୍ଗା ପରିଡା, ଆଦିତ୍ୟ ରାଉତ, ଲୋକନାଥ ରେଡି, ଜମ୍ଭୁ ମାହାନ୍ତିଙ୍କର ଧାନ ସବୁ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସରପଞ୍ଚ ମମତା ବେହେରା, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ପ୍ରମୁଖ ବରୋଦା ଗ୍ରାମ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପୋଡ଼ିଯାଇଥିବା ସମସ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ଏବଂ ପ୍ରକୃତ ଚାଷୀ ହୋଇଥିବା ହେତୁ ସେମାନଙ୍କୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।