ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାଧାରଣତଃ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ । ମହାପ୍ରଭୁ ଅଣସରରୁ ଫେରି ନବଯୌବନ ବେଶ ହେବା ପରେ ଜନ୍ମବେଦୀକୁ ନିଜ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ଯାତ୍ରା କରନ୍ତି । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ, ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କୁଇଶିରା ଓ ଜାମପାଲି ଗ୍ରାମରେ। ଏହି ଗ୍ରାମରେ ଆଷାଢ଼ ବଦଳରେ ଶ୍ରାବଣ ମାସ ଦ୍ୱିତୀୟା ତିଥିରେ ରଥଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଥିବାବେଳେ ରବିବାର ବାହୁଡ଼ା଼ ଯାତ୍ରା ସମାପନ ହୋଇଛି। ନୀତି ନିୟମରେ ପାଳିତ ହେଉଥିବା ଏହି ଅଦିନିଆ ରଥଯାତ୍ରା ଦେଖିବା ପାଇଁ ବହୁ ଦୂର ଦୂରାନ୍ତରରୁ ଭକ୍ତ ରଥାଋଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ରୁଣ୍ଡ ହୋଇଥାନ୍ତି।
କୁଇଶିରା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ରଥଯାତ୍ରା ବିଗତ ପ୍ରାୟ ୮୧ ବର୍ଷ ଧରି ପାଳିତ ହୋଇଆସୁଛି। ଅଞ୍ଚଳରେ ଲୋକଙ୍କ ବିଶ୍ୱାସ ରହିଛି, ଏହି ରଥାଋଢ଼ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ। ଲୋକବାଣୀ କହେ, ଗ୍ରାମର ଉଭୟ ପଟେ ଦୁଇଟି ନଦୀ ବହିଯାଇଛି। ତେବେ ଗିରିସୂଲ ନଦୀ କୂଳରେ ଥିବା ଗୁଆଲ ଡୁଙ୍ଗୁରୀକୁ ଗ୍ରାମର ପୂର୍ବଜମାନେ ଗୋଚାରଣ ପାଇଁ ଯାଉଥିଲେ। ତେବେ ଏହି ଗ୍ରାମବାସୀଙ୍କ ଗୋଚାରଣ ପ୍ରୀତି ଦେଖି ମହାପ୍ରଭୁ ଶ୍ରୀକୃଷ୍ଣ ଗାଈଆଳ ଟୋକା ରୂପରେ ସେଠାରେ ପଦାର୍ପଣ କରିଥିଲେ। ତେବେ ତାଙ୍କ କଥାରେ ଗ୍ରାମର ଅନ୍ୟ ଗାଈଆଳ ଟୋକାମାନେ ପ୍ରୀତ ହେବା ସହିତ ପ୍ରତିଦିନ ଏହି ଡୁଙ୍ଗୁରୀକୁ ଗୋ ଚାରଣ ପାଇଁ ଆସିବାକୁ କହିଥିଲେ। ତେବେ ଗାଈଆଳ ଟୋକା ରୂପି ମହାପ୍ରଭୁ ମନା କରିବା ସହିତ କିଛି ଦୂରକୁ ଯାଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିଲେ। ପରେ ସେଠାକୁ ଯାଇଥିବା ଗାଈଆଳ ଟୋକାମାନେ ଡୁଙ୍ଗୁରୀ ଉପରେ ଥିବା ଏକ ଗଛରେ ମହାପ୍ରଭୁଙ୍କ ଛାୟାଚିତ୍ର ଦେଖିବାକୁ ପାଇଥିଲେ। ପରେ ଏହି ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମବାସୀ ଉକ୍ତ ସ୍ଥାନକୁ ଯାଇ ଭଗବାନକୁ ଆଣି ଗ୍ରାମରେ ପୂଜା କରିବା ସହିତ ମନ୍ଦିର ତୋଳି ପୂଜା କରିଥିଲେ। ତେବେ ସେହିଦିନ ଶ୍ରାବଣ ଦ୍ୱିତୀୟା ତିଥି ହୋଇଥିବାରୁ ସେହିଦିନକୁ ମନେ ପକାଇବା ସହିତ ମହାପ୍ରଭୁଙ୍କ ଜନ୍ମଦିନ ପାଳନ ସ୍ବରୂପ ରଥଯାତ୍ରା ପାଳନ କରିଆସୁଛନ୍ତି। ସେହିପରି ଉର୍ଦ୍ଦୁନା ପଞ୍ଚାୟତର ଜାମପାଲି ଗ୍ରାମରେ ବହୁ ପୁରାତନ କାଳରୁ ଏହି ରଥଯାତ୍ରା ଅନୁଷ୍ଠିତ ହେଉଥିବା ଗ୍ରାମବାସୀ ପ୍ରକାଶ କରନ୍ତି। କେତେ ବର୍ଷରୁ ଏହା ପାଳିତ ହୋଇ ଆସୁଛି ତାହାର ସଠିକ ପ୍ରମାଣ କାହା ପାଖରେ ନାହିଁ। ଗତ ୨୬ ତାରିଖ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ରବିବାର ବାହୁଡ଼ା଼ ରଥଯାତ୍ରା ପାଳିତ ହୋଇଥିଲା। ମନ୍ଦିର ପାଖରେ ରଥ ପହଞ୍ଚିବା ପରେ ଘଣ୍ଟ, ଶଙ୍ଖ ହୁଳହୁଳି ଓ ହରିବୋଲ ଧ୍ୱନୀରେ ମହାପ୍ରଭୁଙ୍କୁ ନେଇ ପାରମ୍ପାରିକ ରିତି ନିତୀ ରେ ରତ୍ନ ସିଂହାସନରେ ବିଜେ କରାଯାଇଥିଲା। ଏହି ବାହୁଡା଼ ରଥଯାତ୍ରା ଦେଖିବା ପାଇଁ ପଡ଼ୋଶୀ ଛତିଶଗଡ଼ ସମେତ ଅଞ୍ଚଳବାସୀଙ୍କ ବହୁଳ ସମାଗମ ହୋଇଥିଲା।