ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା। ଏହାଦେଖି ସ୍ଥାନୀୟ ଲୋକ ଏବଂ ଏସବିଆଇ ଶାଖାର ଶାଖା ପରିଚାଳକ ଗୌରୀଶଙ୍କର ନାୟକ ପ୍ରମୁଖ ଦାରିଙ୍ଗବାଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଇନଚାର୍ଜ ସତ୍ୟ ନାରାୟଣ ବେହେରା ସଦଳବଳ ପହଞ୍ଚି ଡ୍ରେନରୁ ସୁରକ୍ଷିତ ଭାବେ ଗାଈକୁ ଉଦ୍ଧାର କରିଥିଲେ। ତେବେ ଦୀର୍ଘ ସମୟ ଧରି ଗାଇଟି ଡ୍ରେନରେ ଚାପିହୋଇ ରହିଥିବାରୁ ଅସୁସ୍ଥ ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ପ୍ରାଣୀଧାନ ନିରୀକ୍ଷକ ଏବଂ ଦାରିଙ୍ଗବାଡି ଗୋଷ୍ଠୀ ପ୍ରାଣୀଧାନ ଚିକିତ୍ସାଳୟକୁ ଫୋନ କରିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଏହାକୁ ନେଇ ସିମନବାଡି ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା।

ତେବେ ଅଗ୍ନିଶମ କର୍ମଚାରୀମାନେ ଗାଈକୁ ପାଣି ପିଇବାକୁ ଦେବା ସହ ଗାଈର ମୁଣ୍ଡରେ ପାଣି ମାରିବା ପରେ ଗାଇଟି ଉଠି ଚାଲିବାରେ ସକ୍ଷମ ହୋଇଥିଲା। ଗାଈକୁ ଉଦ୍ଧାର କରିବା ସମୟରେ ଅଗ୍ନିଶମ ବିଭାଗର ଇନଚାର୍ଜ ସତ୍ୟ ନାରାୟଣ ବେହେରାଙ୍କ ସମେତ ହାବିଲଦାର ଚିନ୍ମୟୀ ପରିଡା, ଜୁଗୁନ କୁମାର ବେହେରା,ସଜ୍ଜନ କୁମର ବେହେରା,ସ୍ବରାଜ୍ୟ ଡାକୁଆ ଏବଂ ରଶ୍ମିରଂଜନ ପରିଡା ପ୍ରମୁଖ ଗାଈକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

 

Dharitri – Odisha’s No.1 Odia Daily

 

Share