ଫେକ୍‌ ନ୍ୟୁଜ୍‌ ଉପରେ କଡ଼ା ନଜର

ନୂଆଦିଲ୍ଲୀ,୧୫।୧୦: ନଭେମ୍ବର ୧୨ରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଫେକ୍‌ ନ୍ୟୁଜ୍‌ ରୋକିବା ପାଇଁ ନିର୍ବାଚନ କମିଶନ (ଇସି)ଙ୍କ ଟିମ୍‌ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବ। ଆବଶ୍ୟକ ସ୍ଥଳେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ରାଜୀବ କୁମାର ସ୍ପଷ୍ଟ କରିଛନ୍ତି।
ହିମାଚଳ ନିର୍ବାଚନ ତାରିଖ ଘୋଷଣା ଅବସରରେ ସିଇସି ରାଜୀବ କୁମାର କହିଛନ୍ତି, ଭୋଟ ବେଳେ ମିଥ୍ୟା ଖବର ବିସ୍ତାରକାରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ସୋସିଆଲ ମିଡିଆ ଟିମ୍‌ ଗଠନ କରାଯାଇଛି। ଫେକ୍‌ ନ୍ୟୁଜ୍‌ ଚିହ୍ନଟ ହେବା ମାତ୍ରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୨୦୧୯ ମାର୍ଚ୍ଚରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଏହାର ଦୁରୁପଯୋଗକୁ ଦୃଷ୍ଟିରେ ରଖି ଭଲ୍ୟୁଣ୍ଟାରି କୋଡ୍‌ ଅଫ୍‌ ଏଥିକ୍ସ ମାନି ଚଳିବାକୁ ରାଜି ହୋଇଛନ୍ତି। ସତର୍କ ରହିବା ପାଇଁ ପ୍ଲାଟଫର୍ମଗୁଡ଼ିକୁ ଏବଂ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାର୍ଥୀଙ୍କ ସମର୍ଥକମାନେ ଯେପରି ଘୃଣା ମନ୍ତବ୍ୟ ଓ ଫେକ୍‌ ନ୍ୟୁଜ୍‌ରେ ଜଡ଼ିତ ହେବେ ନାହିଁ ତାହା ସୁନିଶ୍ଚିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳାଙ୍କ ମତଦାନ ବୃଦ୍ଧି ସକାଶେ କେତୋଟି ବୁଥ୍‌ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ରାଜୀବ କୁମାର ସୂଚନା ଦେଇଛନ୍ତି।