ନୂଆଦିଲ୍ଲୀ,୧୯ା୧୧: ଦେଶରେ ପ୍ରତି ୮ ମିନିଟ୍ରେ ଜଣେ ପଲା ନିଖୋଜ ହେଉଥିବା ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶରେ ପୋଷ୍ୟଗ୍ରହଣ ପ୍ରକ୍ରିୟା ଜଟିଳ ହୋଇଥିବାବେଳେ ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଆର୍. ମହାଦେବନଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ନାଗରତ୍ନା କହିଛନ୍ତି, ଦେଶରେ ପ୍ରତି ୮ ମିନିଟ୍ରେ ଜଣେ ଶିଶୁ ନିଖୋଜ ହେଉଥିବା ସେ ଏକ ଖବରକାଗଜରୁ ପଢ଼ିଛନ୍ତି। ତେବେ ଏହା ସତ କି ନୁହେଁ, ସେ ତାହା ଜାଣି ନାହାନ୍ତି। ତେବେ ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ପୋଷ୍ୟଗ୍ରହଣ ପ୍ରକ୍ରିୟା ଜଟିଳ ହୋଇଥିବାରୁ ଲୋକେ ପିଲା ପାଇବା ପାଇଁ ବେଆଇନ ପନ୍ଥା ଆପଣାଉଛନ୍ତି। ନିଖୋଜ ପିଲା ସମ୍ପର୍କିତ ମାମଲାଗୁଡ଼ିକର ପରିଚାଳନା ପାଇଁ ନୋଡାଲ ଅଫିସର ନିଯୁକ୍ତି ନିମନ୍ତେ ୬ ସପ୍ତାହ ସମୟ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ନିବେଦନ କରିଥିଲେ। ୬ ସପ୍ତାହ ସମୟ ଦେବାକୁ ଖଣ୍ଡପୀଠ ମନା କରିବା ସହ ଡିସେମ୍ବର ୯ ସୁଦ୍ଧା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ଶିଶୁ ମାମଲା ପରିଚାଳନା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜଣେ ଲେଖାଏ ନୋଡାଲ ଅଫିସର ନିୟୋଜିତ କରିବାକୁ ପରାମର୍ଶ ଦେବା ଲାଗି ଗତ ଅକ୍ଟୋବର ୧୪ରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଲା ନିଖୋଜ ନେଇ ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମିଶନ ବାତ୍ସଲ୍ୟ ପୋର୍ଟାଲରେ ଅଭିଯୋଗ ଆସିଲେ, ସମ୍ପୃକ୍ତ ନୋଡାଲ ଅଫିସରଙ୍କୁ ଜଣାଇବା ପାଇଁ କୁହାଯାଇଥିଲା।