ଦିଗପହଣ୍ଡି/ସାନଖେମୁଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି.ଆମ୍ବଠା ଗ୍ରାମରୁ ଏକ କୃଷ୍ଣସାର ମୃଗକୁ ବନବିଭାଗ କର୍ମଚାରୀ ବୃନ୍ଦ ଶନିବାର ସକାଳେ ଉଦ୍ଧାର କରିଛନ୍ତି। ଭୋରରେ କୃଷ୍ଣସାର ମୃଗଟି ବାଟ ହୁଡ଼ି ଗାଁ ମଧ୍ୟକୁ ଚାଲି ଆସିଥିଲା। ମୃଗଟି ଜୀବନ ବିକଳରେ ଏଣେ ତେଣେ ଦୌଡିଥିଲା। କିଛି ଯୁବକ ମୃଗଟିକୁ କାବୁ କରି ଗାଁ କୋଠ ଘରେ ରଖି ପାଟପୁର ବନ ବିଭାଗ ସେକ୍ସନ କାର୍ଯ୍ୟାଳୟକୁ ଜଣାଇଥିଲେ।
ଫରେଷ୍ଟର ସନ୍ତୋଷ କୁମାର ସାହୁ ସଦଳବଳେ ଗାଁରେ ପହଞ୍ଚି ମୃଗଟିକୁ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ମୃଗଟି ମାଇ ପ୍ରଜାତିର ଏବଂ ତାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ସେ କହିଛନ୍ତି। ତାକୁ କିଛି ଖାଦ୍ୟ ଦେବା ପରେ ପାଟପୁର ପ୍ରାଣୀ ଚିକିତ୍ସାଳୟ କୁ ନିଆଯାଇ ତାର ପ୍ରାଥମିକ ଚିକିତ୍ସା ପରେ ନିକଟସ୍ଥ ରତନେଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି। ଗତ କିଛିବର୍ଷ ହେଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ବଂଶ ବିସ୍ତାର ହେବାରେ ଲାଗିଛି। ଏମାନଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି।