Categories: ମେଟ୍ରୋ

ଖରା ପାଇଁ ଖୋଲିବ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର, ୯।୨ (ବ୍ୟୁରୋ): ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ବୁଧବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏମ୍‌ସି ଏବଂ ସମସ୍ତ ଲାଇନ୍‌ ବିଭାଗର ଅଧିକାରୀମାନେ ଥିଲେ। ଖରା ମୁକାବିଲା ପାଇଁ ୭ଦିନ ମଧ୍ୟରେ ନିଜର ଯୋଜନା ଜଣାଇବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ହୋଇଥିବା ନିଷ୍ପତ୍ତି ଅନୁସାରେ, ବିଏମ୍‌ସି ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ସମସ୍ତ ୟୁପିଏଚ୍‌ସି, ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ହିଟ୍‌ଓ୍ବେଭ୍‌ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯିବ। ସମସ୍ତଙ୍କ ପାଖରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚତ୍ବା ନେଇ ବ୍ୟବସ୍ଥା କରାଯିବ। ଉଚ୍ଚସ୍ଥାନରେ ଥିବା ଓ୍ବାର୍ଡଗୁଡିକରେ ପାଣି ଟ୍ୟାଙ୍କର ପହଞ୍ଚାଇବା, ଓ୍ବାଟ୍‌କୋ ଓ୍ବାଟର ଏଟିଏମ୍‌କୁ କାର୍ଯ୍ୟକ୍ଷମ କରାଇବା, ନଳକୂପଗୁଡିକୁ ବ୍ୟବସ୍ଥିତ କରାଇବା ମୁଖ୍ୟ ଦାୟିତ୍ୱ ରହିବ। ଚନ୍ଦକା ଜଙ୍ଗଲ, ମାର୍କେଟ କମ୍ପ୍ଲେକ୍ସ, ଅଳିଆ ଗଦା ନିଆଁ ରୋକିବାକୁ ଧ୍ୟାନ ଦିଆଯିବ। ସେହିପରି ବସ୍ତିରେ ନିଆଁ ନ ଲାଗିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହାବାଦ୍‌ ବହୁ ଦୋକାନ, ରେଷ୍ଟୁରାଣ୍ଟ ଏବଂ ଭାଟି ଗୁଡିକରେ କୋଇଲା ବ୍ୟବହାର କରାଯାଉଛି। ଏହାଦ୍ୱାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଏବଂ ତାପମାତ୍ରା ଉପରେ ପ୍ରଭାବ ପଡ଼େ। ତେଣୁ ଏସବୁକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଏସ୍‌ଓପି ଜାରି କରାଯିବ। ଅପରପକ୍ଷେ ନିର୍ମାଣ ଶ୍ରମିକମାନେ ଏକତ୍ର ହେଉଥିବା ବିଭିନ୍ନ ସ୍ଥାନଗୁଡିକରେ ଖରାରୁ ରକ୍ଷା ପାଇବା ପାଇଁ ସେଡ୍‌ ପକାଯିବ। ସେହିପରି ଜଳଛତ୍ର ଖୋଲିବାକୁ ଆଗ୍ରହୀ ଥିବା ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ କମ୍ପାନୀମାନେ ଏନେଇ ଆବେଦନ କରିପାରିବେ। ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଜାଗା ପ୍ରଦାନ କରିବ। ଏଥିସହ ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ। ସାଧାରଣତଃ ଖରାଦିନେ ଖାଦ୍ୟ ଖରାପ ହୋଇଯାଏ। ତେଣୁ ଛୋଟ ବଡ଼ ହୋଟେଲ ତଥା ରାସ୍ତାକଡ଼ ଦୋକାନୀମାନେ ଯେପରି ଖରାପ ହୋଇଥିବା ଖାଦ୍ୟ ପରିବେଷଣ ନ କରିବେ ସେ ନେଇ ବିଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଦୃଷ୍ଟି ଦେବେ। ସମ୍ଭାବ୍ୟ ଖରାକୁ ଦୃଷ୍ଟିରେ ରଖି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ତେବେ ବର୍ତ୍ତମାନ ଖରାର ପ୍ରଭାବ ବିଶେଷ ନ ଥିବାବେଳେ ଏହାକୁ ନେଇ ଭୟଭୀତ ନ ହେବାକୁ ମେୟର ସୂଚନା ଦେଇଛନ୍ତି।