ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ବାହିନୀକୁ ଉଦ୍ବୋଧନ ଦେଇଥିଲେ।
ଏସପି ପାତ୍ର କହିଥିଲେ ଯେ, “ଓଡ଼ିଶା ପୋଲିସ ପାଇଁ ଆଜିର ଦିନଟି ଗର୍ବ ଓ ଗୌରବର ଦିବସ। ଜନସାଧାରଣଙ୍କ ସେବା ମନୋଭାବ ନେଇ ନିଜକୁ ଉତ୍ସର୍ଗ କରିବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ହିଁ ସହିଦ୍ ମାନଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।” ସେ ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ।
ଗତ ବର୍ଷ ଗଞ୍ଜାମ ପୋଲିସର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ଏସପି ସୂଚନା ଦେଇଥିଲେ ଯେ, ଏହି ଅପରେସନର ସଫଳତା ଯୋଗୁ ଗଞ୍ଜାମ ଜିଲା ପୋଲିସ ରାଜ୍ୟର ଶ୍ରେଷ୍ଠ ପୋଲିସ ଜିଲା ଭାବେ ପରିଗଣିତ ହୋଇଛି। ଜିଲାର ବରଗଡ଼ ଥାନା ରାଜ୍ୟର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଛି ଏବଂ ଥାନା ଅଧିକାରୀ ଡିଜିପିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ସାଇବର ଠକେଇ, ମ୍ୟୁଲ ଆକାଉଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ’ଅପରେସନ ଅନ୍ବେଷଣ’ ମାଧ୍ୟମରେ ଅପରାଧ ଦମନ ପାଇଁ ପଦକ୍ଷେପ ନିଆଯାଉଛି।
ଏହି ସମାରୋହରେ ନିଜର ସାହସିକତା ଓ ନିଷ୍ଠାପର କାର୍ଯ୍ୟ ପାଇଁ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ। ସେମାନେ ହେଲେ ତାରସିଂ ଥାନା ଏଏସଆଇ ଦୁର୍ଯ୍ୟୋଧନ ବେହେରା ଏବଂ ଭଞ୍ଜନଗର ଥାନାର କ୍ରାଇମ ହାବିଲଦାର ଦିଲ୍ଲୀପ କୁମାର ରାଉତ।
ଏହି ଅବସରରେ ରିଜର୍ଭ ଇନ୍ସପେକ୍ଟର ବିକାଶ ଚନ୍ଦ୍ର ସେନାପତିଙ୍କ ତତ୍ତ୍ୱାବଧାନରେ ଏକ ଆକର୍ଷଣୀୟ ପ୍ୟାରେଡ ପରିଚାଳିତ ହୋଇଥିଲା, ଯେଉଁଥିରେ ସରଜେଣ୍ଟ ଜଗନ୍ନାଥ ବରାଡ଼ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ପ୍ରଶାନ୍ତ କୁମାର ଦାଶ, ଚିନ୍ମୟ କୁମାର ନାୟକ, ସୀମା ସ୍ବାଇଁ, ଏସ୍ଡ଼ିପିଓ ଚନ୍ଦନ ଘଡ଼ାଇଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ପୁଲିସର ପ୍ରତିକୂଳ ପରିସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ଦେବା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ।
Dharitri – Odisha’s No.1 Odia Daily