ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ ବାତିଲ କରିବା ଆରମ୍ଭ କରିଛନ୍ତି। ପହଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଲୋକେ ଜମ୍ମୁ-କଶ୍ମୀର ପାଇଁ ସେମାନଙ୍କ ବୁକିଂକୁ ବାତିଲ କରୁଥିବା ନେଇ ବୁଧବାର ବିଭିନ୍ନ ଟ୍ରାଭେଲ ଏଜେନ୍ସି ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀର ପାଇଁ ପ୍ରାୟ ୯୦% ଟୁର୍ ବୁକିଂ ବାତିଲ ହେଉଥିବା ଜଣାପଡ଼ିଛି।
ଏକ ଟ୍ରାଭେଲ ଏଜେନ୍ସିର ମାଲିକ ଦେବ୍ କହିଛନ୍ତି, ଅନେକ ପରିବାର ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ ଆଗୁଆ ବୁକିଂ କରିଥିଲେ। ସେମାନେ ବସ୍ ଏବଂ ଫ୍ଲାଇଟ ଟିକେଟଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁକିଛିର ଅଗ୍ରିମ ବୁକିଂ କରିସାରିଥିଲେ। ତେବେ ପହଲ୍ଗାମ୍ରେ ଆତଙ୍କବାଦୀ ଆକ୍ରମଣ ନେଇ ଖବର ଆସିବା ପରେ ସେମାନେ ନିଜ ନିଜ ବୁକିଂକୁ ବାତିଲ କରିବା ପାଇଁ ଟ୍ରାଭେଲ ଏଜେନ୍ସିଗୁଡ଼ିକୁ ଫୋନ୍ କରୁଛନ୍ତି ବୋଲି ଦେବ୍ କହିଛନ୍ତି।
ଅନ୍ୟପକ୍ଷରେ, ପହଲ୍ଗାମ୍ ଆକ୍ରମଣ ପରେ କେବଳ ବୁଧବାର ସକାଳ ୬ଟାରୁ ୧୨ଟା ମଧ୍ୟରେ ଶ୍ରୀନଗର ଏୟାରପୋର୍ଟରୁ ୨୦ଟି ଫ୍ଲାଇଟ୍ରେ ୩,୩୩୭ ଜଣ ଲୋକ ନିଜ ନିଜ ରାଜ୍ୟକୁ ଫେରି ଯାଇଥିବା ନେଇ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମନୋହର ନାଇଡୁ କହିଛନ୍ତି। ସେହିପରି ବର୍ତ୍ତମାନ ସ୍ଥିତିରେ ବିମାନ ଭଡ଼ା ବୃଦ୍ଧି ନ କରିବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।