ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ ସମୟରେ ଗୋଟିଏ ବଲ୍ରେ ନଅ ରନ କରିଥିଲା। ଆଫଗାନିସ୍ତାନ ଅଧିନାୟକ ମେହବୁବ ଖାନ ହରାରେ ସ୍ପୋର୍ଟସ କ୍ଲବରେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନର ଓପନରମାନେ ଭଲ ଆରମ୍ଭ କରିଥିଲେ। ୧୭ତମ ଓଭର ବୋଲିଂ କରିଥିବା ଦୀପେଶ ଦେବେନ୍ଦ୍ରନ ଶେଷ ବଲ୍ରେ ଆଫଗାନିସ୍ତାନର ସ୍କୋରରେ ନଅ ରନ ଯୋଡ଼ିଥିଲେ। ଏହା କିପରି ହେଲା ଆସନ୍ତୁ ଜାଣିବା।
ଦୀପେଶ ଓଭରର ପାଞ୍ଚଟି ବଲ୍ରେ କେବଳ ଗୋଟିଏ ରନ ଦେଇଥିଲେ। ଶେଷ ବଲ କିନ୍ତୁ ନାଟକୀୟ ମୋଡ଼ ଆଣିଥିଲା। ଆଫଗାନ ବ୍ୟାଟର୍ ଫୈଜଲ ସିନୋଜାଦା ଲେଗ ସାଇଡ୍ରେ ଥିବା ଏହି ବଲ୍କୁ ସଟ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ଭାରତୀୟ ଉଇକେଟ ରକ୍ଷକ ଅଭିଜ୍ଞାନ କୁଣ୍ଡୁଙ୍କୁ ଚକ୍ମା ଦେଇ ପଛକୁ ଗଡ଼ି ଯାଇଥିଲା। ତା’ସହିତ ଭାରତୀୟ ଦଳ ପଡ଼ିଆରେ ରଖିଥିବା ଏକ ହେଲମେଟ୍ରେ ବଲ ବାଜି ସୀମାରେଖା ଅତିକ୍ରମ କରି ଯାଇଥିଲା । ଫଳରେ ଆଫଗାନିସ୍ତାନକୁ ଏକ ଚୌକା ସହ ୫ ପେନାଲ୍ଟି ରନ ମଧ୍ୟ ମିଳିଯାଇଥିଲା। ଗୋଟିଏ ବଲ୍ରୁ ଏହି ଦଳ ଭାଗ୍ୟ ବଳରେ ମୋଟ ୯ ରନ ପାଇଥିଲା । ଏହି କ୍ଷେତ୍ରରେ ଅମ୍ପାୟାର ଏମ୍ସିସି(MCC) ୨୮.୩.୨ର ଉପଯୋଗ କରିଥିଲେ। ଏହି ନିୟମ ଅନୁସାରେ, ଯଦି କ୍ଷେତ୍ରରକ୍ଷଣ କରୁଥିବା ଦଳ ପଡ଼ିଆରେ ରଖିଥିବା ହେଲମେଟ୍ରେ କୌଣସି କାରଣରୁ ବଲ ବାଜି ଯାଏ, ତାହେଲେ ବ୍ୟାଟିଂ କରୁଥିବା ଦଳକୁ ୫ ପେନାଲ୍ଟି ରନ ପ୍ରଦାନ କରାଯାଇଥାଏ। ଏହା ପୂର୍ବରୁ ଯଦି କୌଣସି ରନ ବ୍ୟାଟିଂ ଦଳ ଅର୍ଜନ କରିଥାଏ, ତାହେଲେ ମଧ୍ୟ ସେହି ରନକୁ ପେନାଲ୍ଟି ୫ ରନ ସହ ଯୋଡ଼ି ଦିଆଯାଇଥାଏ।