ଅମରାବତୀ,୧ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଦଳାଚକଟା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ରୀକାକୁଲମ୍ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଭିତରେ ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି।
ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ଦର୍ଶନ ପାଇଁ ମନ୍ଦିରରେ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ। ଭକ୍ତଙ୍କ ଭିଡ଼ ଏତେ ଅଧିକ ହୋଇଯାଇଥିଲା ଯେ, ସ୍ଥାନୀୟ ପ୍ରଶାସନ ଏବଂ ମନ୍ଦିର ପରିଚାଳନା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରି ନ ଥିଲେ। ହଠାତ୍ ଠେଲାପେଲା ହୋଇଥିଲା, ଯାହା ଫଳରେ ଦଳାଚକଟା ହୋଇଥିଲା। ଲୋକମାନେ ପରସ୍ପର ଉପରେ ପଡ଼ିଗଲେ ଯାହା ଫଳରେ ଏପରି ଅଘଟଣ ଘଟିଲା। ବର୍ତ୍ତମାନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏହି ଦୁଃଖଦ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘କାଶିବୁଗାର ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଅତ୍ୟନ୍ତ ଦୁଃଖଦ। ଭକ୍ତଙ୍କ କ୍ଷତି ହୃଦୟ ବିଦାରକ। ମୁଁ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଆହତମାନଙ୍କୁ ତୁରନ୍ତ ଏବଂ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ସେ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଏବଂ ପୁନର୍ବାସ ପ୍ରୟାସ ତଦାରଖ କରିବାକୁ କହିଛନ୍ତି। ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।