୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି ଯେ ୮ମ ବେତନ କମିଶନ କାର୍ଯ୍ୟକାରୀ ହେଲେ ୫୦.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୮ମ ବେତନ କମିଶନର କାର୍ଯ୍ୟକାରୀ ତାରିଖ ସରକାର ସ୍ଥିର କରିବେ। କମିଶନ ଗଠନ ହେବାର ୧୮ ମାସ ମଧ୍ୟରେ ଏହା ଦରମା ସଂରଚନା, ପେନସନ, ଭତ୍ତା ଏବଂ ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ନିଜର ସୁପାରିଶ ପ୍ରଦାନ କରିବ।

ଏମପି ମାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପଙ୍କଜ ଚୌଧୁରୀ ଜଣାଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ବିଚାରରେ ମହଙ୍ଗା ଭତ୍ତା (DA) କିମ୍ବା ମହଙ୍ଗା ରିଲିଫ୍ (DR) କୁ ମୂଳ ବେତନ ସହିତ ମିଶ୍ରଣ କରିବାର କୌଣସି ପ୍ରସ୍ତାବ ନାହିଁ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ‘NC JCM’ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ପୁରୁଣା ପେନସନ ଯୋଜନା (OPS) ପୁନଃସ୍ଥାପନ କରିବା ଏବଂ ୮ମ ବେତନ କମିଶନର ଚୂଡ଼ାନ୍ତ ସୁପାରିଶ ପୂର୍ବରୁ ଅନ୍ତରୀଣ ରିଲିଫ୍ (ପ୍ରାୟ ୨୦%) ପ୍ରଦାନ କରିବାକୁ ଦାବି କରାଯାଇଛି।

ନଭେମ୍ବର ୩, ୨୦୨୫ରେ ୮ମ ବେତନ କମିଶନର ‘ସନ୍ଦର୍ଭ ସର୍ତ୍ତାବଳୀ(ToR)’ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବା ପରେ ଏହି ପ୍ରକ୍ରିୟା ଆଗକୁ ବଢ଼ିଛି।

Share