ନୂଆଦିଲ୍ଲୀ,୧୧।୨: କେନ୍ଦ୍ରୀୟ କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ଆୟୋଗର ଆନୁଷ୍ଠାନିକ ଗଠନ ୩ ନଭେମ୍ବର ୨୦୨୫ରେ ବିଜ୍ଞପ୍ତି ଜରିଆରେ କରାଯାଇସାରିଛି। ଆୟୋଗକୁ ତାଙ୍କର ସୁପାରିଶ ଦାଖଲ କରିବା ପାଇଁ ୧୮ ମାସ ସମୟ ଦିଆଯାଇଛି। ସେହି ଅନୁସାରେ, ଆୟୋଗ ୨୦୨୭ ମସିହାରେ ସରକାରଙ୍କୁ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ।
ଏହି ଆୟୋଗ କର୍ମଚାରୀ ଓ ପେନସନଭୋଗୀଙ୍କ ବେତନ, ଭତ୍ତା ଏବଂ ପେନସନ ସେବା ସର୍ତ୍ତାବଳୀର ବିସ୍ତୃତ ସମୀକ୍ଷା କରିବେ। ନୂଆ ବେତନ ଆୟୋଗ ଲାଗୁ ହେବା ପରେ ବଜେଟ୍ ଉପରେ କେତେ ଅତିରିକ୍ତ ଭାର ପଡ଼ିବ, ସେନେଇ ସରକାର କହିଛନ୍ତି ଯେ ବର୍ତ୍ତମାନ ଏହାର ସଠିକ୍ ଆକଳନ ସମ୍ଭବ ନୁହେଁ। ଆୟୋଗର ରିପୋର୍ଟ ଆସିବା ପରେ ହିଁ ଏହା ସ୍ପଷ୍ଟ ହେବ।
ସରକାରଙ୍କ ସୂଚନା ସତ୍ତ୍ୱେ କେନ୍ଦ୍ରୀୟ କର୍ମଚାରୀ ସଂଗଠନଗୁଡ଼ିକ ନିଜ ଦାବିରେ ଅଟଳ ରହିଛନ୍ତି। କନ୍ଫେଡେରେସନ୍ ଅଫ୍ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇଜ୍ ଆଣ୍ଡ୍ ୱର୍କର୍ସ (CCGEW) ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୧୨ ଫେବୃଆରୀ ୨୦୨୬ରେ ଦେଶବ୍ୟାପୀ ଗୋଟିଏ ଦିନର ହଡ଼ତାଳ ପାଇଁ ଘୋଷଣା କରାଯାଇଛି।
ସଂଗଠନ କେତେଗୁଡିଏ ଦାବି କରିଛି:
୧. ୨୦% ଅନ୍ତରୀଣ ସହାୟତା ପ୍ରଦାନ।
୨. ୫୦% ମହଙ୍ଗା ଭତ୍ତା (DA)କୁ ମୂଳ ଦରମା ସହ ମିଶ୍ରଣ କରିବା।
୩. ନୂଆ ପେନସନ ଯୋଜନା (NPS) ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା (OPS) ଲାଗୁ କରିବା।
ଏହି ହଡ଼ତାଳ ଯୋଗୁଁ ଗୁରୁବାର ସାରା ଦେଶରେ ସରକାରୀ ସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି।