ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ ଅନେକ କର୍ମଚାରୀଙ୍କ ଖାତାକୁ ଏକା ସାଙ୍ଗରେ ଲକ୍ଷାଧିକ ଟଙ୍କା ଆସିବାକୁ ଯାଉଛି। ଯାହାକୁ ନେଇ ବିଭିନ୍ନ ବର୍ଗର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।
ଏହାରି ମଧ୍ୟରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (CPC) ନିଜର ଅଫିସିଆଲ ୱେବସାଇଟ୍ ଲଞ୍ଚ କରିବା ସହ ସରକାରୀ କର୍ମଚାରୀଙ୍କ ଦରମା, ପେନ୍ସନ୍ ଏବଂ ଭତ୍ତା ସଂଶୋଧନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କମିଶନ ଏବେ MyGov ପୋର୍ଟାଲ ଜରିଆରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ମଚାରୀଙ୍କଠାରୁ ମତାମତ ଲୋଡ଼ିଛନ୍ତି। ଯଦିଓ ୮ମ ବେତନ କମିଶନର ସୁପାରିଶ ୧ ଜାନୁଆରୀ ୨୦୨୬ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି, କିନ୍ତୁ ଏହାର ପୂର୍ଣ୍ଣ ପ୍ରଣୟନ ପାଇଁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ।
ଏଭଳି ପରିସ୍ଥିତିରେ, କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ ୨୦୨୬ ରୁ ପ୍ରକୃତ କାର୍ଯ୍ୟକାରୀ ତାରିଖ ପର୍ଯ୍ୟନ୍ତ ସମୟର ବକେୟା ବା ଏରିଅର୍ସ ପାଇବାକୁ ଆଶା ରଖିଛନ୍ତି। ବିଶେଷ କରି ପେ ମ୍ୟାଟ୍ରିକ୍ସର ୧ ରୁ ୫ ସ୍ତରରେ (Level 1-5) ଥିବା ଲକ୍ଷାଧିକ କର୍ମଚାରୀଙ୍କ ପାଇଁ ଏହା ବଡ଼ ଖୁସି ଖବର ଆଣିପାରେ, କାରଣ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ସେମାନଙ୍କୁ ୩ ରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ବକେୟା ରାଶି ମିଳିବାର ସମ୍ଭାବନା ରହିଛି।
ଏରିଅର୍ସ ଗଣନା ପାଇଁ ବର୍ତ୍ତମାନର ମୂଳ ଦରମାକୁ ଅନୁମୋଦିତ ଫିଟମେଣ୍ଟ ଫ୍ୟାକ୍ଟର ସହ ଗୁଣନ କରାଯାଇ ନୂତନ ଦରମା ନିର୍ଦ୍ଧାରଣ କରାଯାଏ ଏବଂ ମାସିକ ଦରମାର ପାର୍ଥକ୍ୟକୁ ବିଳମ୍ବିତ ମାସ ସଂଖ୍ୟା ସହ ଗୁଣି ବକେୟା ରାଶି ବାହାର କରାଯାଏ। ଉଦାହରଣ ସ୍ୱରୂପ, ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୦ ରୁ ୨.୫୭ ମଧ୍ୟରେ ରହେ, ତେବେ ୨୦ ମାସର ବକେୟା ଅବଧି ପାଇଁ ଲେଭଲ-୧ କର୍ମଚାରୀଙ୍କୁ ପ୍ରାୟ ୩.୬୦ ରୁ ୫.୬୫ ଲକ୍ଷ ଟଙ୍କା ଏବଂ ଲେଭଲ-୫ କର୍ମଚାରୀଙ୍କୁ ୫.୮୪ ରୁ ୯.୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ମିଳିପାରେ। ଏହି ଗଣନାରେ କେବଳ ମୂଳ ଦରମାକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ମହଙ୍ଗା ଭତ୍ତା (DA) ର ପାର୍ଥକ୍ୟକୁ ଅଲଗା ଭାବେ ବିଚାର କରାଯାଇଛି। ସରକାରଙ୍କ ଅନ୍ତିମ ନିଷ୍ପତ୍ତି ପରେ ହିଁ ଏହି ରାଶିରେ ସଠିକତା ଆସିବ, କିନ୍ତୁ ପ୍ରାରମ୍ଭିକ ଆକଳନ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।