ଦେବଗଡ,୨୭।୯(ଶଶାଙ୍କ ଶେଖର ଝାଙ୍କର): ଗ୍ରାମାଞ୍ଚଳରେ କାମ କରୁଥିବା ଗାଁସାଥୀ(ମେଟ) ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୮ ଦଫା ଦାବିରେ ଓଡିଶା ପ୍ରଦେଶ ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଦେବଗଡ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡିଶା ପ୍ରଦେଶ ଗାଁ ସାଥୀ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟି, ଦେବଗଡ ଜିଲା ସଂଯୋଜକ ଯୁଗଳ କିଶୋର ନାୟକ, ତିଲେଇବଣି ବ୍ଲକ ସଂଯୋଜକ ଇନ୍ଦ୍ରମଣି ସାହୁ,ରିଆମାଳ ବ୍ଲକ ସଂଯୋଜକ ଡିଲେଶ୍ୱର ବେହେରା ବାରକୋଟ ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ସଦସ୍ୟା ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି ।
ଗାଁ ସାଥୀମାନଙ୍କର ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ସେମାନଙ୍କୁ ୨୦୦୮ ମସିହାରୁ ଗାଁ ସାଥୀ ପଦବୀରେ ନିଯୁକ୍ତି ଦେଇ ସେମାନଙ୍କ ନିମନ୍ତେ ବିଭିନ୍ନ ସମୟରେ ସରକାରୀ ଚିଠି କରୁଛନ୍ତି। ମାତ୍ର ଦେବଗଡ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଏହି କ୍ରମରେ ସରକାର ଗାଁ ସାଥୀମାନଙ୍କର ଦୁଃଖକୁ ହୃଦୟଙ୍ଗମ କରି ସେମାନଙ୍କ ସମ୍ବନ୍ଧୀୟ ନିର୍ଭୁଲ ଡାଟାବେସ ପ୍ରସ୍ତୁତ କରି ପଠାଇବା ନିମନ୍ତେ ତିନୋଟି ଯାକ ବ୍ଲକର ବିଡିଓ ମାନଙ୍କୁ ଚିଠି ଲେଖିଥିଲେ । ମାତ୍ର ଦୁଃଖର ବିଷୟ ଏହା ଯେ, କୌଣସି ବିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ ସାଥୀଙ୍କ ସମ୍ବନ୍ଧୀୟ ଡାଟାବେଶ ସରକାରଙ୍କ ନିକଟକୁ ପଟାଇ ନାହାନ୍ତି ।
ଅନ୍ୟପକ୍ଷରେ ଜିଲାର ଯେଉଁ ଯେଉଁ ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ(ଜିଆରଏସ) ନାହାନ୍ତି ସେହି ଗ୍ରାମ ପଞ୍ଚାୟତରେ ଜିଓ ଟ୍ୟାଗ କରିବା ପାଇଁ ସରକାର ପତ୍ର ମାଧ୍ୟମରେ ଜଣାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଏଣୁ ତୁରନ୍ତ ଜିଓ ଟ୍ୟାଗ କାର୍ଯ୍ୟରେ ଗାଁ ସାଥୀମାନଙ୍କୁ ନିୟୋଜିତ କରିବା, ସିଧା ଶଳଖ ବାବେ ଗାଁ ସାଥୀମାନଙ୍କ ନାମରେ ବିଭିନ୍ନ ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ, ଗାଁ ସାଥୀମାନେ ଯେଭଳି ସମସ୍ତ ଲାଇନ ଡିପାର୍ଟମେଂଟର କାର୍ଯ୍ୟ କରିପାରିବେ। ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆଦି ସମେତ ୮ ଦଫା ଦାବିରେ ଗାଁ ସାଥୀମାନେ ଆଜି ଉପରୋକ୍ତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।
ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଯଦି ସେମାନଙ୍କର ଦାବି ଅବିଳମ୍ବେ ପୂରଣ କରାନଯାଏ ତେବେ ସେମାନେ ବିଗତ ୩ ବର୍ଷରେ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ନିର୍ମିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ସରକାରଙ୍କ ନିକଟରେ ଦାବି କରିବେ ବୋଲି ଉପରୋକ୍ତ ସ୍ମାରକପତ୍ର ଜରିଆରେ ସେମାନେ ଲିଖିତ ଚେତାବନୀ ଦେଇଛନ୍ତି ।