ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌ ଡାଟାବେସ୍‌ ଆରମ୍ଭ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନର ଆପ୍ରବାସନ ପ୍ରବର୍ତ୍ତନ ଅଭିଯାନରେ ଗିରଫ ହୋଇ ଦୋଷୀସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କ ନାମ ଉକ୍ତ ତାଲିକାରେ ରହିଛି। ଆପ୍ରବାସନ ଏବଂ ସୀମାଶୁଳ୍କ ପ୍ରବର୍ତ୍ତନ (ଆଇସିଇ) ପକ୍ଷରୁ ୨୦୨୫ରେ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନରେ ଏପର୍ଯ୍ୟନ୍ତ ୨୫,୦୦୦ ଆପ୍ରବାସୀ ଗିରଫ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୮୯ ଜଣ ଭାରତୀୟ ରହିଛନ୍ତି। ଏହି ଡାଟାବେସ୍‌ରୁ ଆମେରିକୀୟମାନେ ଗିରଫ ହୋଇଥିବା ବିଦେଶୀ ଅପରାଧୀ, ସେମାନଙ୍କ ଅପରାଧ ଏବଂ ସମ୍ପ୍ରଦାୟ ସମ୍ପର୍କରେ ଜାଣିପାରିବେ। ତାଲିକାରେ ଥିବା ୮୯ ଭାରତୀୟଙ୍କ ମଧ୍ୟରୁ ଅନୂ୍ୟନ ୨୨ ଜଣ ଟିକସ ଫାଙ୍କି, ଚୋରି, ଆର୍ଥତ୍କ ଜାଲିଆତି ଆଦି ଅପରାଧରେ ସମ୍ପୃକ୍ତ ଥିବାବେଳେ ୨୧ ଜଣ ଆକ୍ରମଣ, ଡକାୟତି ଆଦି ହିଂସାତ୍ମକ ଅପରାଧରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୧୭ ଜଣ ଯୌନ ଅପରାଧରେ ଦୋଷୀ ହୋଇଥିବାବେଳେ ହିଟ୍‌ ଆଣ୍ଡ ରନ୍‌ ଘଟଣାରେ ଜଣେ ନରହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି।

Dharitri – Odisha’s No.1 Odia Daily

Share