ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟ ଦଳର ଷ୍ଟାର ବିରାଟ କୋହଲି ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କୋହଲି ତାଙ୍କ କ୍ୟାରିୟରରେ ୫୫୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି, ୮୨ ଶତକ ହାସଲ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୦ ଶତକ ହାସଲ କରିଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ସ୍କୋରର।
ବିରାଟ କୋହଲିଙ୍କ ଜନ୍ମଦିନରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ତାଙ୍କ କ୍ରିକେଟ ସଫଳତା ଉପରେ ଆଲୋକପାତ କରି ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରିଛି। ସେ ଏପର୍ଯ୍ୟନ୍ତ ୫୫୩ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୭,୬୭୩ ରନ ସଂଗ୍ରହ କରିଛନ୍ତି। କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୮୨ ଶତକ ଏବଂ ୧୪୪ ଅର୍ଦ୍ଧଶତକ ହାସଲ କରିଛନ୍ତି।
ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ୧୨୩ ଟେଷ୍ଟ ମ୍ୟାଚ ଖେଳି ୪୬.୮୫ ହାରରେ ୯,୨୩୦ ରନ କରିଛନ୍ତି। ବିରାଟ ଟେଷ୍ଟ କ୍ରିକେଟରେ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ କୋହଲିଙ୍କ ସର୍ବଶ୍ରେଷ୍ଠ ଇନିଂସ ହେଉଛି ଅପରାଜିତ ୨୫୪ ରନ।
ବିରାଟ ୨୦୫ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଏବଂ ଏବେ ବି ଦିନିକିଆ ଖେଳୁଛନ୍ତି। ଏହି ୩୦୫ ମ୍ୟାଚରେ ବିରାଟ ୧୪,୨୫୫ ରନ କରିଛନ୍ତି, ଯେଉଁଥିରେ ୫୧ ଶତକ ଏବଂ ୭୫ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଦିନିକିଆରେ କୋହଲିଙ୍କ ହାରାହାରି ୫୭.୭୧। ଦିନିକିଆରେ କୋହଲିଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୮୩।
ବିରାଟ କୋହଲି ୧୨୫ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୪୮.୬୯ ହାରରେ ୪,୧୮୮ ରନ କରିଛନ୍ତି। ଭାରତ ପାଇଁ ବିରାଟ ଟି୨୦ କ୍ରିକେଟରେ ଗୋଟିଏ ଶତକ ଏବଂ ୩୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ କୋହଲିଙ୍କ ସର୍ବଶ୍ରେଷ୍ଠ ସ୍କୋର ହେଉଛି ୧୨୨ ରନ।
ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ତିନୋଟି ICC ଟ୍ରଫି ଜିତିଛନ୍ତି। ସେ ICC ପୁରୁଷ ଦିନିକିଆ ବିଶ୍ୱକପ ୨୦୧୧, ICC ଚାମ୍ପିଅନ୍ସ ଟ୍ରଫି ୨୦୧୩, ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୪ଏବଂ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ବିଜେତା ଦଳଗୁଡ଼ିକର ଅଂଶ ଥିଲେ।
ବିରାଟ ବର୍ତ୍ତମାନ ଟେଷ୍ଟ ଏବଂ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ସେ ଦିନିକିଆରେ ବ୍ୟାଟିଂ ଜାରି ରଖିଛନ୍ତି।