Video: ଗଛ ଲଗାଇ ନିଜ ସନ୍ତାନ ଭଳି ୨୦ ବର୍ଷ ସ୍ନେହ କଲେ, କଟିଯିବା ଦେଖି ମୁଣ୍ଡ ପିଟି କାନ୍ଦିଲେ ବୃଦ୍ଧା

ଛତିଶଗଡ଼,୧୨।୧୦: ଛତିଶଗଡ଼ର ଖୈରାଗଡ଼ ଜିଲାର ସାରାଗୋଣ୍ଡି ଗ୍ରାମରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହା ଲୋକଙ୍କୁ ପ୍ରକୃତି ସହିତ ପ୍ରେମ ଓ ଭାବନା ସହ ଗଭୀର ଭାବେ ଯୋଡ଼ିଛି। ଭିଡିଓରେ ଜଣେ ବୃଦ୍ଧା ମହିଳା ନିଜ ହାତରେ ୨୦ ବର୍ଷ ପୂର୍ବେ ରୋପଣ କରିଥିବା ଗଛଟି କଟାଯିବା ପରେ ମୁଣ୍ଡ ପିଟି ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଉଛି। ତାଙ୍କର ଦୁଃଖ ଓ ଗଛ ପ୍ରତି ଗଭୀର ସ୍ନେହ ସ୍ପଷ୍ଟ ଦେଖାଯାଉଛି, ଯାହା ସମସ୍ତଙ୍କୁ ଭାବୁକ କରିଛି।

ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗଛଟି ଜଣେ ଜମି ବ୍ୟବସାୟୀଙ୍କ ଇଙ୍ଗିତରେ କଟାଯାଇଛି। ଗଛ କଟାଯିବାର ବିରୋଧରେ ଗ୍ରାମବାସୀମାନେ ଜୋରଦାର ପ୍ରତିବାଦ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏହା କେବଳ ଗୋଟିଏ ଗଛ ନୁହେଁ, ବରଂ ସେମାନଙ୍କ ସ୍ମୃତି ଓ ପରିବେଶର ଅଂଶ ଥିଲା। ଘଟଣା ଏବେ ସ୍ଥାନୀୟ ପ୍ରଶାସନର ନଜରକୁ ମଧ୍ୟ ଆସିଛି। ଗ୍ରାମବାସୀଙ୍କ ଅଭିଯୋଗ ଓ ଭାବନାକୁ ଦେଖି ପ୍ରଶାସନ ମାମଲାର ତଦନ୍ତ ଆରମ୍ଭ କରିଛି।

ଏହି ଭିଡିଓ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ସେୟାର କରିଛନ୍ତି। ଯେଉଁଥିରେ ମହିଳାଜଣକ କାନ୍ଦୁଥିବା ଓ କଟିଯାଇଥିବା ଗଛରେ ମୁଣ୍ଡ ପିଟି କାନ୍ଦୁଛନ୍ତି।

“ଏହା ଏକ ହୃଦୟବିଦାରକ ଦୃଶ୍ୟ। ଜଣେ ବୃଦ୍ଧା ମହିଳା ୨୦ ବର୍ଷ ପୂର୍ବେ ରୋପଣ କରିଥିବା ଗଛ କଟାଯିବା ପରେ କାନ୍ଦୁଛନ୍ତି। ଏହା ଛତ୍ତିଶଗଡ଼ ରାଜ୍ୟରେ ଘଟିଛି ବୋଲି ମୋତେ କୁହାଯାଇଛି,” ରିଜିଜୁ ଏକ୍ସରେ ଲେଖିଛନ୍ତି।

Dharitri – Odisha’s No.1 Odia Daily

Share