ଭିଜିଲା ଧାନ: ୯୨ ମଣ୍ଡିରେ ପଡ଼ିଛି ୮୧୦୭ ପ୍ୟାକେଟ ଧାନ

ପଦ୍ମପୁର,୨।୧୨  (ପ୍ରଦୀପ୍ତ ଦାଶ) :ପଦ୍ମପୁର ଉପଖଣ୍ଡରେ ଗତ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୋମବାର ୪ ଦିନ ବିତି ଯାଇଛି। ସୋମବାର ଭୋରରୁ ବର୍ଷା ହୋଇଛି। ଫଳରେ ଅନେକ ସ୍ଥାନରେ କ୍ଷେତ, ଖଳାରେ ପଡ଼ିଥିବା ଅମଳ ଧାନ ଭିଜିଯାଇଛି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ହେଲେ ପଦ୍ମପୁର ଉପଖଣ୍ଡର ୬ବ୍ଲକରେ ଏପର୍ଯ୍ୟନ୍ତ ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ। କିଛି ଚାଷୀଙ୍କ ଟୋକନ ଆସିଥିବା ବେଳେ ସେମାନେ ମଣ୍ଡିକୁ ଧାନ ଧରି ଆଣିଛନ୍ତି। ବିକ୍ରି ଆଶା ନେଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଣ୍ଡିରେ ଭୋକ ଉପାସରେ ରହୁଛନ୍ତି। କିନ୍ତୁ ଧାନ ବିକ୍ରି ହେଉ ନାହିଁ ଏବଂ ଶେଷରେ ଚାଷୀଙ୍କୁ ନିରାଶରେ ଘରକୁ ଫେରିବାକୁ ପଡୁଛି। ପଦ୍ମପୁର ଉପଖଣ୍ଡର ୯୨ ମଣ୍ଡିରେ ୮୧୦୭ ପ୍ୟାକେଟ ଧାନ ପଡିଥିବା ନେଇ ଆର୍‌ଏମ୍‌ସି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଥିବା ବେଳେ ଏ ଯାଏ ବସ୍ତାଏ ଧାନ ଉଠି ନାହିଁ।
ଅନ୍ୟପଟେ ରବିବାର ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅଲ ଓଡ଼ିଶା ମିଲର୍ସ ଆସୋସିଏଶନର ଏକ ବୈଠକ ବସିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ ଜିଲା ପ୍ରଶାସନ ଅସହାୟ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଜିଲାବ୍ୟାପୀ ଚାଷୀ ମହଲରେ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଭବିଷ୍ୟତରେ ଏକ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।

 

Dharitri – Odisha’s No.1 Odia Daily

Share