ଘୁମୁସରରେ ୮୧ ହାତୀ, ନବଜାତ ଛୁଆକୁ ୨୪ଟିକିଆ ପଲ ଜଗିଛି

ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡରେ ବୁଧବାର ସନ୍ଧ୍ୟା ସୁଦ୍ଧା ୭୨ଟି ଓ ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ରହିଛନ୍ତି। ମୋଟ୍ ୮୧ଟି ହାତୀ ଅଞ୍ଚଳରେ ବୁଲୁଛନ୍ତି।

ସୋମବାର ରାତିରେ ଗୁଣ୍ଡିରିବାଡି ନିକଟରେ ଗୋଟିଏ ହାତୀଛୁଆ ଜନ୍ମ ହୋଇଛି। ନବଜାତକୁ ସୁରକ୍ଷା ଦେବାକୁ ୨୪ଟି ହାତୀ ଗୋଲାକାର ଘେରି ରହିଛନ୍ତି। ଛୁଆ ଜନ୍ମସ୍ଥଳଠାରୁ ମାତ୍ର ୫ କିମି ଦୂରରେ ଗତ ଗୁରୁବାର ଗୋଟିଏ ଦନ୍ତା ହାତୀ ଶିକାରୀ ଗୁଳିରେ ମରିଥିବାରୁ ବନ ବିଭାଗ ୨୪ ଘଣ୍ଟିଆ ନଜର ରଖିଛି। କର୍ମଚାରୀ ପାଳି କରି ଜାଗ୍ରତ ରହୁଛନ୍ତି, ଡ୍ରୋନ୍‌ରେ ଆକାଶପଥରୁ ନିରୀକ୍ଷଣ ଚାଲିଛି।

ଉତ୍ତର ବନଖଣ୍ଡରୁ ଗୋଟିଏ ଦନ୍ତା ହାତୀ ମଙ୍ଗଳବାର କନ୍ଧମାଳ ଅଭିମୁଖେ ଚାଲିଯାଇଛି। ବୁଧବାର ସନ୍ଧ୍ୟାରେ ସେହି ପଲର ଗୋଟିଏ ଦନ୍ତା ହାତୀ ବନକର୍ମୀଙ୍କୁ ଗୋଡ଼ାଇ ଆସୁଥିବା ଦେଖାଯାଇଛି। ହାତୀମାନେ ବାଣ ଫୁଟାକୁ ଭୟ କରୁନାହାନ୍ତି, ଲୋକେ ଘୋଡ଼ାଇଲେ ମଧ୍ୟ ଫସଲ ନଷ୍ଟ କରୁଛନ୍ତି।

ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ପ୍ରତି କିଛି ଘଣ୍ଟାରେ ହାତୀଗତିବିଧି ସମୀକ୍ଷା କରୁଛନ୍ତି ଏବଂ ବନ୍ୟପ୍ରାଣୀ ଓ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି।

Share