ଶୌଚ ହେବାକୁ ଆସିଥିଲେ ୮ବର୍ଷର ଝିଅ, ଉଠାଇନେଲେ ଦୁର୍ବୃତ୍ତ

ବାସୁଦେବପୁର,(କାଳିପଦ ରାୟ) ୧୪।୯: ବାସୁଦେବପୁର ପୌରାଞ୍ଚଳ ଅଧୀନ ରାଧାନାଥପୁର ଆଡିଆ ଗ୍ରାମରେ ସଦାନନ୍ଦ ମଳିକଙ୍କ ଆଠ ବର୍ଷର ନାବାଳିକା ଝିଅକୁ ଶନିବାର ରାତିରେ ଅଜଣା ଦୁର୍ବୃତ୍ତ ବାଇକ ସାହାଯ୍ୟରେ ଅପହରଣ କରିନେଇଛନ୍ତି।

ସୂଚନା ଅନୁଯାୟୀ ନାବାଳିକା ଜଣକ ଶୌଚ ହେବା ପାଇଁ ଘର ସାମ୍ନାକୁ ଯାଇଥିଲେ। ତାଙ୍କ ଭଉଣୀ ପାଖରେ ଛିଡା ହୋଇଥିଲେ, ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ନାବାଳିକାଙ୍କୁ ଉଠାଇ ନେଇ ଦ୍ରୁତ ଗତିରେ ପଳାଇ ଥିଲେ। ଅନ୍ୟ ଭଉଣୀ ପାଟିକରି ଡାକିବାରୁ ଗାଁ ଲୋକ ରୁଣ୍ଡ ହୋଇ ଚାରିଆଡେ ଖୋଜା ଖୋଜି କରିଥିଲେ ସୁଦ୍ଧା କିଛି ଖବର ମିଳିପାରିନାହିଁ। ଏନେଇ ଚୂଡ଼ାମଣି ସାମୁଦ୍ରିକ ଥାନାରେ ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି, ରାସ୍ତାର ବିଭିନ୍ନ ଆ ନାକାବନ୍ଦୀ କରି ବାସୁଦେବପୁର ଥାନାଧିକାରିଣୀ ଲୋପାମୁଦ୍ରା ନାୟକ, ନୟାକନିଡ଼ିହି ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ, କସିଆ ସାମୁଦ୍ରିକ ଥାନାଧିକାରିଣୀ ସାବିତ୍ରୀ ପଣ୍ଡା, ଚୂଡ଼ାମଣି ସାମୁଦ୍ରିକ ଥାନାଧିକାରିଣୀ ବନାନୀ ବେହେରା ପ୍ରମୁଖ ଚଢ଼ାଉ ଜାରି ରଖିଥିବା ବେଳେ ଅପରାଧୀଙ୍କର କୌଣସି ପତ୍ତା ମିଳିନାହିଁ।