୮ ଗ୍ରାହକଙ୍କ ଲୋନ୍‌ ଅସୁଲି ଟଙ୍କା ଆତ୍ମସାତ୍‌ କରିନେଲେ ଅଫିସର, ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଟାଟା କ୍ୟାପିଟାଲ ଲିମିଟେଡ୍‌ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖାରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା କୋଦଳା ଥାନା ଚନ୍ଦନପୁର ଗ୍ରାମର ଜିତେନ୍ଦ୍ର କୁମାର ଡାକୁଆ କମ୍ପାନୀର ୮ ଜଣ ଗ୍ରାହକଙ୍କଠାରୁ ୧ ଲକ୍ଷ ୨୧ ହଜାର ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏନେଇ କମ୍ପାନୀର ଆଞ୍ଚଳିକ ପରିଚାଳକ ସରୋଜ କୁମାର ସାହୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୮୧/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ୨୦୨୩ ଫେବୃଆରୀ ୧୩ଠାରୁ କମ୍ପାନୀର ଲୋନ୍‌ ଅଫିସର ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ବିଭିନ୍ନ ସମୟରେ ଋଣ ଗ୍ରହୀତାଙ୍କଠାରୁ ଟଙ୍କା ଆଦାୟ କରି ଆତ୍ମସାତ୍‌ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି। ଏସ୍‌.ସସ୍ମିତା ରେଡ୍ଡୀ ନାମ୍ନୀ ଜଣେ ଋଣ ଗ୍ରହୀତା ତାଙ୍କ ସମସ୍ତ ଋଣ ଓ ସୁଧ ବାବଦକୁ ଟଙ୍କା ପରିଶୋଧ କରିଥିବା ଦର୍ଶାଇ ପୁଣି ଥରେ ଋଣ ପାଇଁ ଉକ୍ତ ଫାଇନାନ୍ସ କମ୍ପାନୀର ଦିଗପହଣ୍ଡି ଶାଖାରେ ଆବେଦନ କରିବା ପରେ ସେ ପୂର୍ବ ଋଣ ବାବଦକୁ ୧୩୧୦୦ ଟଙ୍କା ବକେୟା ଥିବା ଜଣାପଡ଼ିଥିଲା।
ସେ କମ୍ପାନୀର ଲୋନ୍‌ ଅଫିସର ଜିତେନ୍ଦ୍ରଙ୍କ କହିବା ଅନୁଯାୟୀ, ତାଙ୍କ ବ୍ୟାଙ୍କ ଜମା ଖାତାକୁ ଫୋନ୍‌ ପେ’ ମାଧ୍ୟମରେ ୧୩୧୩୦ ଟଙ୍କା ପୈଠ କରିଥିବା ନେଇ ଶାଖା ପରିଚାଳକ ମଳୟ କୁମାର ସାହୁଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରେ କମ୍ପାନୀ ପକ୍ଷରୁ ତଦନ୍ତ କରାଯିବା ପରେ ସେ ସମୁଦାୟ ୮ ଜଣ ଋଣ ଗ୍ରହୀତାଙ୍କଠାରୁ ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଜଣାପଡ଼ିଥିବା କମ୍ପାନୀର ଆଞ୍ଚଳିକ ପରିଚାଳକ ପୋଲିସକୁ କହିଛନ୍ତି।