୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ନଦୀକୁ ଶୌଚ ପାଇଁ ଯାଇଥିବା କିଛି ଗ୍ରାମବାସୀ ଅଜଗରକୁ ଦେଖିଥିଲେ।

ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକାରଣ୍ୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ଗ୍ରାମବାସୀ ପାଟପୁର ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ସନ୍ତୋଷ କୁମାର ସାହୁ, ଫରେଷ୍ଟ ଗାର୍ଡ ଜି. ଦିଲ୍ଲୀପ ପ୍ରମୁଖ ପହଞ୍ଚି ଅଜଗରକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ନିକଟସ୍ଥ ରତନେଇ ଜଙ୍ଗଲରେ ଅଜଗରକୁ ଛଡାଯାଇଥିଲା।