କୌଣସି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନୁହେଁ, ଏହି କାରଣରୁ ୭୫୦ ସ୍କୁଲ ବନ୍ଦ, କାରଣ ଜାଣିଲେ…

ଏଥେନ୍ସ,୩ା୯: ଦେବତାଙ୍କ ଭୂମି କୁହାଯାଉଥିବା ଗ୍ରୀସ୍‌ରେ ୭୫୦ରୁ ଅଧିକ ସ୍କୁଲ ବନ୍ଦ କରାଯାଇଛି। କୌଣସି ବିପର୍ଯ୍ୟୟ କିମ୍ବା ବନ୍ୟା କି ବାତ୍ୟା ସତର୍କତା ଯୋଗୁ ଏହି ନିଷ୍ପତ୍ତି ନିଆଯାଇନାହିଁ ବରଂ ଏହାର କାରଣ ହେଉଛି ଗ୍ରୀସ୍‌ରେ ଜନ୍ମହାର ଗମ୍ଭୀର ସଙ୍କଟ ହେଉଛି। ଦେଶରେ ଜନସଂଖ୍ୟା ହ୍ରାସ ଏତେ ଗମ୍ଭୀର ହୋଇଛି ଯେ, ଏହା ସିଧାସଳଖ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରୁଛି।

ନୂତନ ଶିକ୍ଷା ଅଧିବେଶନ ଆରମ୍ଭ ହେବା ପୂର୍ବରୁ, ସରକାର ଘୋଷଣା କରିଥିଲେ ଯେ, ସାରା ଦେଶରେ ଏହି ସ୍କୁଲଗୁଡ଼ିକର ପରିଚାଳନା ସ୍ଥଗିତ ରଖାଯିବ। ଏହି ସଂଖ୍ୟା ଗ୍ରୀସ୍‌ର ମୋଟ ସ୍କୁଲର ପ୍ରାୟ ୫ ପ୍ରତିଶତ।

ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୭ ବର୍ଷ ମଧ୍ୟରେ ପ୍ରାଥମିକ ଶିକ୍ଷାରେ ନାମ ଲେଖାଇଥିବା ଛାତ୍ରଙ୍କ ସଂଖ୍ୟା ୧.୧୧ ଲକ୍ଷରୁ ଅଧିକ ହ୍ରାସ ପାଇଛି। ଏହା ୨୦୧୮ ତୁଳନାରେ ୧୯ ପ୍ରତିଶତ ହ୍ରାସ। ଛାତ୍ର ସଂଖ୍ୟା ହ୍ରାସ ଯୋଗୁ ସର୍ବନିମ୍ନ ୧୫ ଜଣ ଛାତ୍ରଙ୍କ ସର୍ତ୍ତ ପୂରଣ ନ କରିବା ପାଇଁ ୧୪,୮୫୭ ସ୍କୁଲ ମଧ୍ୟରୁ ୭୬୬ ସ୍କୁଲକୁ ଚଳିତ ବର୍ଷ ବନ୍ଦ କରାଯାଇଛି। ପ୍ରାଥମିକ ସ୍ତରୀୟ ଅଧିକାଂଶ ସ୍କୁଲ ପ୍ରଭାବିତ ହୋଇଛି, କିନ୍ତୁ ବର୍ତ୍ତମାନ ଏହି ସମସ୍ୟା ମାଧ୍ୟମିକ ସ୍ତରରେ ମଧ୍ୟ ପହଞ୍ଚିବାରେ ଲାଗିଛି।

ଗ୍ରୀସରେ ଜନସଂଖ୍ୟା ହ୍ରାସ ୨୦୧୦ରେ ଆରମ୍ଭ ହୋଇଥିଲା। ୨୦୧୧ ପରଠାରୁ, ଦେଶରେ ଜନ୍ମ ଅପେକ୍ଷା ଅଧିକ ମୃତ୍ୟୁ ଘଟିଛି। ୨୦୦୧ରୁ ୨୦୨୧ ମଧ୍ୟରେ ୨୦ରୁ ୪୦ବର୍ଷ ବୟସ ବର୍ଗର ମହିଳାଙ୍କ ସଂଖ୍ୟା ପାଞ୍ଚ ଲକ୍ଷ (୩୧ ପ୍ରତିଶତ) ହ୍ରାସ ପାଇଛି। ଏହି ବର୍ଗକୁ ପ୍ରଜନନର ମୁଖ୍ୟ ଏଜ୍‌ ଗ୍ରୁପ୍‌ ଭାବରେ ବିବେଚନା କରାଯାଏ। ଏହା ବ୍ୟତୀତ ଆର୍ଥିକ ସଙ୍କଟ ସମୟରେ, ବହୁ ସଂଖ୍ୟକ ଶିକ୍ଷିତ ଗ୍ରୀକ୍‌ ନାଗରିକ ଭଲ ସୁଯୋଗ ଖୋଜିବା ପାଇଁ ବିଦେଶ ଯାଇଥିଲେ, ଯାହା ସମ୍ଭାବ୍ୟ ପିତାମାତାଙ୍କ ସଂଖ୍ୟାକୁ ଆହୁରି ହ୍ରାସ କରିଥିଲା।

ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଗ୍ରୀକ୍‌ ମହିଳାମାନେ ଏବେ ହାରାହାରି ୩୨ ବର୍ଷ ବୟସ ପରେ ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦିଅନ୍ତି। ଜନ୍ମହାର ୧.୩୫କୁ ହ୍ରାସ ପାଇଛି, ଯାହା ୟୁରୋପରେ ସବୁଠାରୁ କମ୍‌ ମଧ୍ୟରୁ ଗୋଟିଏ। ୨୦୨୨ରେ ଦେଶରେ ବାର୍ଷିକ ଜନ୍ମ ୮୦୦୦୦ରୁ କମ୍‌ ଥିଲା, ଯେତେବେଳେ ୨୦୨୩ରେ ମୃତ୍ୟୁସଂଖ୍ୟା ପ୍ରାୟ ଦୁଇଗୁଣ ଥିଲା। ବିବାହ ବାହାରେ ସନ୍ତାନ ଜନ୍ମ ଏବେ ବି ବହୁତ କମ୍‌।

Share