ନୂଆଦିଲ୍ଲୀ,୨୪।୨: ୟୁଏସ୍ଏଆଇଡି (ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ) ପାଣ୍ଠିକୁ ନେଇ ରାଜନୈତିକ ବିବାଦ ଜୋର୍ ଧରିଛି। ଏହି ପାଣ୍ଠି ଭାରତର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବ୍ୟୟ ହେଉଥିଲା ବୋଲି ଅଭିଯୋଗ ଉଠିଛି। ତେବେ ମତଦାନ ହାର ବଢ଼ାଇବାକୁ ୟୁଏସ୍ଏଆଇଡି ପାଣ୍ଠି ବିନିଯୋଗ ହେବାର କୌଣସି ଉଲ୍ଲେଖ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ୨୦୨୩-୨୪ ବର୍ଷରେ ୟୁଏସ୍ଏଆଇଡି ଭାରତର ୭ଟି ପ୍ରକଳ୍ପରେ ୭୫୦ ନିୟୁତ ଡଲାର (୬,୫୦୦ କୋଟି ଟଙ୍କା) ବିନିଯୋଗ କରିଥିବା ମନ୍ତ୍ରଣାଳୟର ସଦ୍ୟତମ ବାର୍ଷିକ ରିପୋର୍ଟରେ କୁହାଯାଇଛି। ଭାରତ ସହକାରଙ୍କ ସହଭାଗିତାରେ ୟୁଏସ୍ଏଆଇଡି ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି। ୨୦୨୩-୨୪ ଆର୍ଥତ୍କ ବର୍ଷରେ ଏହି ସଂସ୍ଥା ୯୭ ନିୟୁତ ଡଲାର (ପ୍ରାୟ ୮୨୫ କୋଟି ଟଙ୍କା) ଯୋଗାଇଥିଲା। ଦ୍ୱିପାକ୍ଷିକ ପାଣ୍ଠି ବ୍ୟବସ୍ଥା ପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରୁଥିବା ଆର୍ଥତ୍କ ବ୍ୟାପାର ବିଭାଗ ଉକ୍ତ ପ୍ରକଳ୍ପରେ ଲାଗିଥିବା ପାଣ୍ଠି ସମ୍ପର୍କିତ ସବିଶେଷ ତଥ୍ୟ ଶେୟାର କରିଛି। ୨୦୨୩-୨୪ ବର୍ଷରେ ଭୋଟ ହାର ବଢ଼ାଇବାକୁ କୌଣସି ପାଣ୍ଠି ବିନିଯୋଗ ହୋଇ ନ ଥିଲା। ବରଂ କୃଷି ଓ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଜଳ, ପରିମଳ ଓ ସୁସ୍ଥ ପରିବେଶ, ଅକ୍ଷୟ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ପାଣ୍ଠି ବ୍ୟୟ ହୋଇଥିଲା। ଏହା ବ୍ୟତୀତ ସ୍ଥାୟୀ ଜଙ୍ଗଲ ଏବଂ ଜଳବାୟୁ ସହଣି କାର୍ଯ୍ୟକ୍ରମ, ଶକ୍ତି ସାମର୍ଥ୍ୟ ପ୍ରଯୁକ୍ତି ପାଇଁ ଉକ୍ତ ପାଣ୍ଠି ଖର୍ଚ୍ଚ ହୋଇଥିଲା।
ଭାରତରେ ଭୋଟର ଟର୍ନଆଉଟ୍ ପାଇଁ ଆମେରିକା ୨୧ ନିୟୁତ ଡଲାର ଦେଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦିନକ ପୂର୍ବରୁ କହିଥିଲେ। ଟ୍ରମ୍ପ୍ଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ କେନ୍ଦ୍ରଠାରୁ ଏହି ପ୍ରସଙ୍ଗରେ ଶ୍ୱେତପତ୍ର ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ନୀରବତାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି।