ଭୁବନେଶ୍ୱର,୭ା୮(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୬ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଦୁଇ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ଦେବା ପାଇଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ ହେବ। କମ୍ ଉପସ୍ଥାନ ଥିବା ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ। ଜାନୁଆରୀ ୭ ସୁଦ୍ଧା ବିଦ୍ୟାଳୟଗୁଡିକ ପିଲାଙ୍କ ଉପସ୍ଥାନ ସଂକ୍ରାନ୍ତ ସମସ୍ତ ଡକ୍ୟୁମେଣ୍ଟ ଓ କାଗଜପତ୍ର ସିବିଏସ୍ଇର ଆଞ୍ଚଳିକ କେନ୍ଦ୍ରରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ଅଚାନକ ଯାଞ୍ଚ କରାଯିବା ସହିତ ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା ଆପଣାଯିବ। ବିଶେଷକରି ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ ସିବିଏସ୍ଇ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଥିରେ ହେରଫେର ହୋଇଥିବା ଜଣାପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଅଭିଭାବକଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ। ଆଫିଲେଟେଡ୍ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ଏହି ପରାମର୍ଶ ଦିଆଯାଇଛି। କେବଳ ଜରୁରୀକାଳୀନ ପରିସ୍ଥିତିରେ ବୋର୍ଡ ୨୫ ପ୍ରତିଶତ ଛାଡ଼ ପ୍ରଦାନ କରିବ। ଏହି ପରିସ୍ଥିତିରେ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି, ଜାତୀୟ କିମ୍ବା ଅନ୍ତର୍ଜାତୀୟ କ୍ରୀଡାରେ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଗୁରୁତର କାରଣ ଅନ୍ତର୍ଭୁକ୍ତ ହେବ। ଏଥିପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ପଡିବ। ସିବିଏସ୍ଇର କହିବାନୁସାରେ, ସ୍କୁଲଗୁଡ଼ିକ କେବଳ ଶିକ୍ଷା କେନ୍ଦ୍ର ନୁହେଁ ବରଂ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସ୍କୁଲରେ ପିଲାଙ୍କ ଚରିତ୍ର ଗଠନ, ମୂଲ୍ୟବୋଧ ଶିକ୍ଷା, ଦଳଗତ କାର୍ଯ୍ୟ ସହିତ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ସିବିଏସ୍ଇ ପରାମର୍ଶ ଦେଇଛି।