ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଛି ଏବଂ ତଦନ୍ତ ଜାରି ରହିଛି।
ପୋଲିସ ଅଧିକ୍ଷକ ଜଗଦୀଶ ଡାୱର ଗଣମାଧ୍ୟମକୁ କହିଛନ୍ତି , ଜିଲାର ରାଜପୁର ଥାନା ଅଞ୍ଚଳର ଏକ ଗାଁର ବାସିନ୍ଦାଙ୍କଠାରୁ ସୂଚନା ପାଇବା ପରେ ଜାନୁଆରୀ ୨୬ ତାରିଖରେ ଇନ୍ଦିରା ସାଗର କେନାଲରୁ ଝିଅଟିର ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି , ପୋଷ୍ଟମର୍ଟମ ରିପୋର୍ଟରେ ଝିଅଟିର ଗୁପ୍ତାଙ୍ଗରେ ଗମ୍ଭୀର ଆଘାତ ଏବଂ ମୃତ୍ୟୁର କାରଣ ବୁଡ଼ି ଯିବା ଦର୍ଶାଯାଇଛି।
ପୋଲିସ ଅଧିକ୍ଷକ କହିଛନ୍ତି , ଝିଅଟିର ଜଣେ ନିକଟ ସମ୍ପର୍କୀୟ ୧୭ ବର୍ଷୀୟ ଯୁବକଙ୍କୁ ବଳାତ୍କାର-ହତ୍ୟା ମାମଲାରେ ଅଟକ ରଖାଯାଇଛି।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ନାବାଳକ ଜଣଙ୍କ ପୋଲିସକୁ କହିଛନ୍ତି ଯେ ସେ ଜାନୁଆରୀ ୨୫ ରାତିରେ ପରିବାର ସଦସ୍ୟ ଶୋଇଥିବା ସମୟରେ ଝିଅଟିକୁ ତାଙ୍କ ଘରୁ ଅପହରଣ କରିନେଇ ନିକଟସ୍ଥ ଏକ କେନାଲକୁ ନେଇଯାଇ ବଳାତ୍କାର କରିଥିଲେ।
ଯୌନ ନିର୍ଯାତନା ସମୟରେ ଝିଅଟି ଚିତ୍କାର କରିବା ଆରମ୍ଭ କରିବାରୁ, ନାବାଳକ ଜଣଙ୍କ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କେନାଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଅଧିକାରୀ କହିଛନ୍ତି ଯେ ଝିଅଟି ପାଣିରେ ବୁଡ଼ି ଯାଇଥିଲା।