ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର ମତ୍ସ୍ୟଜୀବୀମାନେ କୂଳକୁ ଟାଣିବାରେ ନାକେଦମ ହୋଇଥିଲେ। ବୁଧବାର ରାତି ୯ଟାରେ ଜାଲ ସହିତ ମାଛକୁ ମୃତ ଅବସ୍ଥାରେ କୂଳକୁ ଆଣିଥିଲେ। ଗୁରୁବାର ସକାଳୁ ଏତେବଡ ମାଛକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଦେଖିବା ଲାଗି ସେଠାରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହୋଇଥିଲା। ଖବରପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଏହି ବିରଳ ପ୍ରଜାତିର ମାଛ ମୃତବସ୍ଥାରେ କିପରି ଜାଲରେ ଛନ୍ଦି ହେଲା, ତାହାର ତଦନ୍ତ କରିଥିଲେ। ମୃତ ମାଛର ଲମ୍ବ ୧୭ ଫୁଟ ୭ ଇଞ୍ଚ ଥିବାବେଳେ ଓଜନ ୭ଟନ। ଏହା ୨୦ବର୍ଷର ମାଛ ବୋଲି ବନବିଭାଗ ସୂଚନା ଦେଇଛି। ମାଛକୁ ଉଦୟପୁର ବନବିଭାଗ ପରିସରକୁ ଅଣାଯାଇଥିଲା। ଜିଲା ବନ୍ୟଜୀବ ବନ୍ୟଖଣ୍ଡ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ୍ୟ ସଂରକ୍ଷକ ଜୟଶ୍ରୀ ମୁର୍ମୁ, ବନ୍ୟପ୍ରାଣୀ ତତ୍ତ୍ୱବଧାରକ ଅଶ୍ୱନୀ କୁମାର ଦାସ, ଜୀବବିଜ୍ଞାନୀ ସ୍ବରୂପ ଫୁଲନଟନ, ବନପାଳ ସଞ୍ଜୟ କୁମାର ମହାନ୍ତି, ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଚିନ୍ମୟ କୁମାର ସାହୁ, ବନରକ୍ଷୀ ପ୍ରମିଳା ସେନ, ସବୁଜ ବାହିନୀର ହରିଶଙ୍କର ସାହୁ, ବାବୁଲି ଦାସ ପ୍ରମୁଖ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇ ମାଛକୁ ପୋତି ଦିଆଯାଇଥିଲା। ଏହି ବିରଳ ମାଛ ସାଧାରଣତଃ ଆରବସାଗରରେ ଦେଖା ଦେଇଥିବାବେଳେ ତାପମାତ୍ରର ଉଷ୍ମତା ଯୋଗୁ କାଁ ଭାଁ ଅନୁକୂଳ ପାଗ ଯୋଗୁ ବଙ୍ଗୋପସାଗରକୁ ଆସିଥାଇପାରେ ଓ ଗଭୀର ସମୁଦ୍ରରେ ଜାହାଜରେ ଧକ୍କା ଖାଇ ମୃତ ହୋଇଥାଇପାରେ ବୋଲି ମତ୍ସ୍ୟଜୀବୀମାନେ ଅନୁମାନ କରିଥିଲେ।

 

Dharitri – Odisha’s No.1 Odia Daily