ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଚଳିତ ସପ୍ତାହର ଶେଷ କାରବାର ଦିବସରେ ୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ଯୋଗ କରିଛନ୍ତି। ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଭାରତୀୟ ପୁଞ୍ଜି ବଜାରର ପରିମାଣ ପ୍ରାୟ ୪୨୫.୪ ଲକ୍ଷ କୋଟି ଥିଲା। ଶୁକ୍ରବାରର କାରବାର ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ୭.୩ ଲକ୍ଷ କୋଟି ଯୋଗ କରିବାରୁ ଚଳିତ ସପ୍ତାହର ଶେଷ କାରବାର ଦିବସ ଶେଷ ସୁଦ୍ଧା ବଜାର ପୁଞ୍ଜି ୪୩୨.୭ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ଶେଷ କାରବାର ଦିବସରେ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର କାରବାର ବେଶ ଉତ୍ସାହଜନକ ରହିଛି। ଫଳରେ ୩୦ ଶେୟାର ବିଶିଷ୍ଟ ବିଏସଇ ସେନସେକ୍ସର କାରବାର ୨.୫୪% ବୃଦ୍ଧି ସହ ୭୯,୦୦୦ ଅଙ୍କ ଅତିକ୍ରମ କରିଥିଲାବେଳେ ନିଫ୍ଟି ୫୦ କାରବାରରେ ୫୫୭.୩୫ ପଏଣ୍ଟ ବଢି ୨୪,୦୦୦ଅଙ୍କର ନିକଟବର୍ତ୍ତୀ ହୋଇଛି।
ଅପରପକ୍ଷରେ ବିଏସଇ ମିଡକ୍ୟାପର କାରବାରରେ ୧.୨୬% ବୃଦ୍ଧି ଘଟିଥିଲାବେଳେ ସ୍କଲକ୍ୟାପର କାରବାର ୦.୯୦% ବଢିଛି। ଏପରିକି ନିଫ୍ଟି ମିଡକ୍ୟାପ କାରବାରରେ ୧.୧୬% ବୃଦ୍ଧି ଘଟି ୫୫,୦୧୬.୮୫ ଅଙ୍କରେ ରହିଥିଲାବେଳେ ସ୍ମଲକ୍ୟାପର କାରବାର ୦.୯୦% ବଢି ୮୫୮୯.୭୦ ଅଙ୍କ ଏବଂ ବ୍ୟାଙ୍କିଙ୍ଗ କାରବାରରେ ୭୬୨.୫୦ ପଏଣ୍ଟ ବଢି ୫୧,୧୩୫.୪୦ ଅଙ୍କରେ ରହିଛି। ସେହିଭଳି ସେକ୍ଟରିଆଲ କାରବାରରେ ଉଭୟ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ସମେତ ଆଇଟି, ମେଟାଲ, ଅଟୋ,ଏଫଏମସିଜି ଏବଂ ଫାଇନାନ୍ସ ଶିଳ୍ପର ନିବେଶକମାନେ ପ୍ରାୟ ୨ରୁ ୪%ର ନିବେଶ ବୃଦ୍ଧି କରିଛନ୍ତି।