ନିରାକାରପୁର,୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ରାମେଶ୍ୱରଠାରେ ଥିବା ଜଙ୍ଗଲ ଜମିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୭ ଏକର ଜମି ଜଳି ପୋଡ଼ି ପାଉଁଶ ହୋଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ସାପ, ଠେକୁଆ ଆଦି କିଛି ଜଙ୍ଗଲୀ ଜୀବଜନ୍ତୁ ଜଳି ପୋଡ଼ି ଯାଇଥିବା ଆଶା କରାଯାଉଛି। ଅନୁରୂପ ଭାବେ ଶହ ଶହ ସଂଖ୍ୟାରେ ଆକାଶିଆ, ପଟାସ, ନିମ୍ବ ସମେତ ଅନ୍ୟାନ୍ୟ ବୃକ୍ଷଲତା ଜଳି ପୋଡ଼ି ଯାଇଥିବା ମଧ୍ୟ ଜଣାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ଦାୟିତ୍ୱରେ ଥିବା କିଛି ବେସରକାରୀ ଜଙ୍ଗଲ ସୁରକ୍ଷାକର୍ମୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ କର୍ମଚାରୀମାନେ ପହଞ୍ଚି ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।