ଗଞ୍ଜାମ,୧୭/୧୦(ଅଖିଳ ତରାଇ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ପରିସରରେ ଆୟୋଜିତ ୬୯ତମ ଗଞ୍ଜାମ ଜିଲା ବିଦ୍ୟାଳୟ ସମୂହ ଖୋ-ଖୋ ପ୍ରତିଯୋଗିତା-୨୦୨୫ର ଉଦ୍ଘାଟନୀ ଉତ୍ସବ ଆଜି ଭବ୍ୟ ରୂପରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ମୁଖ୍ୟବକ୍ତା ଭାବେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଯୋଗଦେଇ ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି।
ବିଧାୟକ ନାୟକ କହିଛନ୍ତି ଯେ, ଖୋ-ଖୋ ଭଳି ପାରମ୍ପରିକ ଖେଳ ଯୁବପିଢ଼ିର ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ ଏବଂ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଅଧ୍ୟକ୍ଷା ପାଢ଼ୀ ମଧ୍ୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଏହି ପ୍ରତିଯୋଗିତା ଜିଲ୍ଲାର ସ୍କୁଲ ପିଲାମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବ। ମିନି ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଜିଲାସ୍ତରୀୟ ଖୋ-ଖୋ ଚାମ୍ପିଅନସିପ ପ୍ରତିଯୋଗିତା ତିନି ଦିନ ଧରି ଚାଲିବ। ଜିଲ୍ଲାର ୨୨ଟି ବ୍ଲକକୁ ବିଭିନ୍ନ ସ୍କୁଲ୍ରେ ୧୪ରୁ ୧୭ ବର୍ଷ ବୟସର ବାଳକ ଓ ବାଳିକାଙ୍କୁ ନେଇ ମୋଟ ୯୫ଟି ଦଳର ୪୮୪ ଜଣ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି। ପ୍ରତ୍ୟେକ ଦିନ ୪୨ଟି ଲେଖାଏ ମ୍ୟାଚ ଆୟୋଜନ ହେବ, ଯାହା ସମୁଦାୟ ତିନି ଦିନରେ ୧୨୬ଟି ମ୍ୟାଚ୍ରେ ପରିଣତ ହେବ।
ଏହି ପ୍ରତିଯୋଗିତାର ବିଶେଷତ୍ୱ ହେଉଛି ଯେ, ପ୍ରଥମ ଥର ପାଇଁ ଏହା ଏହି ବ୍ଲକ୍ରେ ଅନୁଷ୍ଠିତ ହେଉଛି ଏବଂ ଫ୍ଲଡ ଲାଇଟ୍ରେ ଖେଳାଯାଉଛି, ଯାହା ସାମିଲ ଖେଳାଳିମାନଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ। ବ୍ଲକ ସ୍କୁଲ ସ୍ପୋର୍ଟସ ଆସୋସିଏସନ ଗଞ୍ଜାମ ପକ୍ଷରୁ ଆୟୋଜିତ ହେଉଛି। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀମାନେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି ଯେ, ଏହା ଜରିଆରେ ଜିଲାର ଯୁବକ୍ରୀଡ଼ାବିତ୍ମାନଙ୍କୁ ରାଜ୍ୟସ୍ତରୀୟ ଏବଂ ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ। ବିଜେତା ଦଳମାନଙ୍କୁ ଟ୍ରଫି, ମେଡାଲ ଏବଂ ସାର୍ଟିଫିକେଟ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତା ସ୍ଥାନୀୟ କ୍ରୀଡ଼ା ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ଏବଂ ଆଗାମୀ ଦିନରେ ଅଧିକ ଖେଳାଳି ଉତ୍ପାଦନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।