ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡକ ବନ୍ଦ ଓ ମିଶ୍ରଣ ନେଇ ସୋମବାର ଲୋକସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଶଙ୍କର ଉଲାକା । ଏନେଇ ସେ କେନ୍ଦ୍ର ଶିକ୍ଷା ବିଭାଗକୁ ପ୍ରଶ୍ନ କରି ବନ୍ଦ ହୋଇଥିବା ଓ ଅନ୍ୟ ସ୍କୁଲ ସହିତ ଯୋଡି ଦିଆଯାଇଥିବା ସ୍କୁଲଗୁଡିକର ତଥ୍ୟ ମାଗିଛନ୍ତି। ଏମ୍ପି ଉଲାକାଙ୍କ ଅଣତାରକା ପ୍ରଶ୍ନ ଆଧାରରେ କେନ୍ଦ୍ର ଶିକ୍ଷା ବିଭାଗ ଦେଇଥିବା ସୂଚନା ପ୍ରକାରେ, ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ୬୮୬ଟି ସାଟେଲାଇଟ ସ୍କୁଲ ବନ୍ଦ କରିଦେଇଥିବା ଜଣାପଡିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏମ୍ପି ଉଲାକା । ଏହି ସ୍କୁଲଗୁଡିକ ବନ୍ଦ କାରଣରୁ ଏହାର ସିଧାସଳଖ ପ୍ରଭାବ ଆଦିବାସୀ ସମ୍ପ୍ରଦାୟ ଓ ଗ୍ରାମୀଣ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ଉପରେ ପଡୁଛି । ପ୍ରାୟ ୮୮୫୪ଜଣ ଛାତ୍ରୀଛାତ୍ରଙ୍କ ପାଠପଢା ଉପରେ ଏହାର ପ୍ରଭାବ ଦେଖାଦେଇଛି । ଏହି ପିଲାଙ୍କ ମଧ୍ୟରୁ ଅଧିକାଂଶକୁ ଏବେ ଘର ନିକଟ ବଦଳରେ ଦୂରଦୂରାନ୍ତ ପାହା ଏବଂ ଜଙ୍ଗଲ ପାରି ହୋଇ ଦୁର୍ଗମ ଯାତ୍ରା କରିବାକୁ ପଡୁଥିବା କହିଛନ୍ତି ଏମପି ଉଲାକା । ମିଳିଥିବା ତଥ୍ୟ ଅନୁସାରେ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଅନେକ ବ୍ଲକ ମଧ୍ୟରୁ ରାୟଗଡା ଜିଲାର ବିଷମକଟକ ବ୍ଲକର ୫, ଚନ୍ଦ୍ରପୁର ବ୍ଲକର ୯, ଗୁଡାରି ବ୍ଲକର ୧୨, ଗୁଡାରି ଏନଏସିର ୧, ଗୁଣପୁର ବ୍ଲକର ୪, ଗୁଣପୁର ଏନଏସିର ୨, କଲ୍ୟାଣସିଂହପୁର ବ୍ଲକର ୧୫, କାଶୀପୁର ବ୍ଲକର ୧୧, କୋଲନରା ବ୍ଲକ ଓ ମୁନିଗୁଡା ବ୍ଲକର ୧୩ଟି ଲେଖାଏଁ ସ୍କୁଲ, ପଦ୍ମପୁର ବ୍ଲକର ୪, ରାମନାଗୁଡା ବ୍ଳକ ଓ ରାୟଗଡା ବ୍ଲକର ୧୬ଟି ଲେଖାଏଁ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଇ ଦିଆଯାଇଛି । ସେହିଭଳି କୋରାପୁଟ ଜିଲାର ଦଶମନ୍ତପୁର (୪୬ ସ୍କୁଲ), ଲମତାପୁଟ (୩୫), କାଲିମେଳା (୨୭), ନନ୍ଦପୁର (୨୨), ଝରିଗାଁ (୨୦), ମୁନିଗୁ (୧୩) ଏବଂ ଅନ୍ୟାନ୍ୟ ସ୍କୁଲଗୁଡିକ ଭିତ୍ତିଭୂମି ସହିତ ସଂଘର୍ଷ କରିବା ସତ୍ତ୍ୱେ ଏଭଳି ସ୍କୁଲ ବନ୍ଦ କରିବା ଏବଂ ମିଶ୍ରଣ କରିବା ଆଦିବାସୀ ଅଧୁଷିତ ଅଂଚଳ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଏମପି ଉଲାକା।