ଭାରତୀୟ ସଂସ୍କୃତି ବେଶ ସୁନ୍ଦର। ଏହାର ଝଲକ ସମ୍ପର୍କରୁ ବାରି ହୋଇପଡେ। ସେମିତି ଜଣେ ଥିଲେ ଶ୍ରବଣ କୁମାର, ଯିଏକି ନିଜର ଅନ୍ଧ ବାପାମା’ଙ୍କୁ କାନ୍ଧରେ ବସାଇ ତୀର୍ଥଭ୍ରମଣ କରାଇଥିଲେ। ଆଜି ବି ପିତାମାତାଙ୍କ ଲାଗି ଉତ୍ସର୍ଗୀକୃତ ସେବା ଲାଗି ତାଙ୍କର ଉଦାହରଣ ଦିଆଯାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପବିତ୍ର ମହାକୁମ୍ଭରେ ବୁଡ଼ ପକାଇବା ଲାଗି ମୁଜଫ୍ଫରନଗରର ଜଣେ ବ୍ୟକ୍ତି ନିଜର ୯୨ ବର୍ଷୀୟ ମା’ଙ୍କୁ ବଳଦଗାଡ଼ିରେ ବସାଇ ନେଉଛନ୍ତି। ହାତରେ ଟାଣି ଟାଣି ମା’ଙ୍କୁ ଏଭଳି ପବିତ୍ର କାର୍ଯ୍ୟ କରିବାକୁ ନେଉଥିବା ବେଳର ଭିଡିଓ ଏବେ ଭାଇରାଲ ହେଉଛି।
ନିଜର କାହାଣୀ ବିଷୟରେ ଚୌଧୁରୀ ସୁଦେଶ ପାଲ(୬୫) କହିଛନ୍ତି ୨୫ ବର୍ଷର ହୋଇଥିବା ବେଳେ ତାଙ୍କ ପାଦରେ ସମସ୍ୟା ଉପୁଜିଥିଲା। ଏହାପରେ ଚାଲବୁଲ କରିବା କଷ୍ଟକର ହୋଇଥିଲା। ହେଲେ ମା’ଙ୍କ ପ୍ରାର୍ଥନା ଯୋଗୁ ସେ ସୁସ୍ଥ ହୋଇଛନ୍ତି। ଏହି ଋଣକୁ ପୈଠ କରିବାକୁ ସେ ବଳଦଗାଡ଼ିରେ ମା’ଙ୍କୁ ବସାଇ ମହାକୁମ୍ଭ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ସୁଦେଶଙ୍କ ଭିଡିଓ ବେଶ ଭାଇରାଲ ହେଉଥିବା ବେଳେ ଅନେକେ ତାଙ୍କୁ କଳିଯୁଗର ଶ୍ରବଣ କୁମାର ବୋଲି କହୁଛନ୍ତି। ସେହିଭଳି ଆଉ କିଛଇ ମହାକୁମ୍ଭ ପ୍ରତି ଆସ୍ଥାର ଏହା ପ୍ରତୀକ ବୋଲି କହୁଛନ୍ତି।
ଦେଖନ୍ତୁ ଭିଡିଓ: