୬ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ପାଟନା,୯ା୨: ବିହାର ଦରଭଙ୍ଗା ସହରର ୟୁନିଭର୍ସିଟି ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ବାଳିକାଙ୍କୁ ରବିବାର ବଳାତ୍କାର ପରେ ହତ୍ୟା କରାଯାଇଛି। ସୂତ୍ର ଅନୁଯାୟୀ, ବାଳିକା ଜଣକ ଅନ୍ୟ ୨ ଜଣଙ୍କ ସହ ଖେଳିବା ପାଇଁ ଶନିବାର ସନ୍ଧ୍ୟାରେ ଘରୁ ବାହାରି ଆସି ଆଉ ଫେରି ନ ଥିଲେ। ଘରଲୋକେ ଓ ସମ୍ପର୍କୀୟମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିବା ସହ ଚାରିଆଡ଼େ ଖୋଜାଖୋଜି କରିଥିଲେ। ରବିବାର ଭୋର ସମୟରେ ଏକ ପୁଷ୍କରିଣୀ ନିକଟରେ କୁକୁର ଭୁକିବା ଶବ୍ଦ ଶୁଣି ଗାଁ ଲୋକେ ସେଠାକୁ ଧାଇଁଯାଇ ବାଳିକା ଜଣକର ମୃତଦେହ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପୋଲିସ ପହଞ୍ଚତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦରଭଙ୍ଗାର ବରିଷ୍ଠ ଏସ୍‌ପି ଯଦୁନାଥ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି। ବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଅନ୍ୟ ୨ ବାଳିକା ଚିହ୍ନିଥିବା କହିବାରୁ ପୋଲିସ ସେମାନଙ୍କୁ ସିସିଟିଭି ଫୁଟେଜ୍‌ ଦେଖାଇଥିଲା। ସେଥିରୁ ବିକାଶ ମାହାତୋ ନାମକ ଉକ୍ତ ଅଞ୍ଚଳର ଜଣେ ଯୁବକଙ୍କୁ ସେମାନେ ଚିହ୍ନଟ କରିଥିଲେ। ପୋଲିସ ବିକାଶଙ୍କୁ ଗିରଫ କରିଛି।

Dharitri – Odisha’s No.1 Odia Daily