ନୁହ ହିଂସାରେ ୬ ଜଣଙ୍କ ମୃତ୍ୟୁ, ୧୧୬ ଗିରଫ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧୬ ଜଣଙ୍କୁ ଗିରଫ କରାଯାଥିବା ବୁଧବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ ଏବଂ ୪ ଜଣ ସାଧାରଣ ନାଗରିକ ଅଛନ୍ତି। ରାଜ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି ଏବଂ ପୋଲିସ ସହିତ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ କରାଯାଇଛି। ବିଭିନ୍ନ ଜିଲାରେ ୩୦ଟି ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ୨୦ଟି ଟିମ୍‌ ନିୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ସୁରକ୍ଷା ବଳର ୨୦ଟି ଟିମ ମଧ୍ୟରୁ ୩ଟି ପାଲୱାଲରେ, ୨ଟି ଗୁରୁଗ୍ରାମରେ, ଗୋଟିଏ ଫରିଦାବାଦରେ ଏବଂ ୧୪ଟି ନୁହରେ ନିୟୋଜିତ ହୋଇଛନ୍ତି।
ହରିୟାଣାରେ ଗିରଫ ହୋଇଥିବା ୧୧୬ ଜଣଙ୍କୁ ବୁଧବାର ରିମାଣ୍ଡରେ ନିଆଯିବ। ଏହି ହିଂସା ସହ ଜଡିତ ଲୋକଙ୍କୁ ଜାଣିବା ପାଇଁ ଗିରଫ ଲୋକଙ୍କୁ ରିମାଣ୍ଡରେ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ସୁରକ୍ଷା ଏଜେନ୍ସି ଏବଂ ହରିୟାଣା ପୋଲିସ ସତର୍କ ରହିଛି ଏବଂ ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ହୋଇଛି। ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କୁ ନିବେଦନ କରିଥିଲେ।