ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଖୁଲାସା କରିଛନ୍ତି। ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ସନ୍ଦିଗ୍ଧ ‘ଡାକ୍ତର ମଡ୍ୟୁଲ୍’ ଆସନ୍ତା ଡିସେମ୍ବର ୬ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (NCR) ର ୬ରୁ ୭ଟି ସ୍ଥାନରେ ସିରିଜ୍ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ।
ଗିରଫ ହୋଇଥିବା ସନ୍ଦିଗ୍ଧମାନେ ପଚରାଉଚରା ବେଳେ ପ୍ରକାଶ କରିଛନ୍ତି ଯେ, ସେମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଦିନ (ଡିସେମ୍ବର ୬, ୧୯୯୨)କୁ ପ୍ରତିଶୋଧ ନେବା ପାଇଁ ଟାର୍ଗେଟ୍ କରିଥିଲେ।
ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ, ଏହି ମଡ୍ୟୁଲ୍ ଏକ ପାଞ୍ଚ-ପର୍ଯ୍ୟାୟ ବିଶିଷ୍ଟ ଯୋଜନା ପ୍ରସ୍ତୁତ କରିଥିଲେ। ଜୈଶ-ଏ-ମହମ୍ମଦ ଓ ଅନ୍ସାର୍ ଗଜୱାତ-ଉଲ-ହିନ୍ଦ୍ ସହ ଯୋଡ଼ି ହୋଇ ମଡ୍ୟୁଲ୍ ଗଠନ କରିଥିଲେ। ହରିୟାଣାର ନୂହ ଓ ଗୁରୁଗ୍ରାମରୁ IED ତିଆରି ପାଇଁ କଞ୍ଚାମାଲ ଓ ଗୋଳାବାରୁଦ ସଂଗ୍ରହ କରାଯାଇଥିଲା। ଏଥିରେ ଘାତକ ରାସାୟନିକ IED ତିଆରି କରିବା ଏବଂ ବିସ୍ଫୋରଣ ପାଇଁ ସମ୍ଭାବ୍ୟ ସ୍ଥାନଗୁଡ଼ିକର ରେକି (ଅନୁଧ୍ୟାନ) କରିବା ଏବଂ ସଂଗୃହୀତ ବୋମାକୁ ମଡ୍ୟୁଲ୍ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିବା। ଏହାପରେ ଦିଲ୍ଲୀ-NCR ର ୬-୭ଟି ସ୍ଥାନରେ ସମନ୍ୱିତ ବିସ୍ଫୋରଣ କରିବା ଲକ୍ଷ୍ୟ ଥିଲା।
ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କାଶ୍ମୀରୀ ଡାକ୍ତର ଉମର ମହମ୍ମଦ ହିଁ ବିସ୍ଫୋରଣ ହୋଇଥିବା i20 କାର୍ ଚଳାଉଥିଲେ। ତଦନ୍ତକାରୀଙ୍କ ମତରେ, ତାଙ୍କ ସହଯୋଗୀ ଡାକ୍ତର ମୁଜାମ୍ମିଲ ଶେଖ ଓ ଶାହୀନ୍ ସୟୀଦ୍ ଗିରଫ ହେବା ପରେ ଉମର ଭୟଭୀତ ହୋଇ ହତାଶାରେ ଏହି କାର୍ ବିସ୍ଫୋରଣ ଘଟାଇଥିଲେ।
ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦ୍ୱାରା ଘଟଣାର ଅଧିକ ତଦନ୍ତ ଚାଲିଛି।