ବିମାନବନ୍ଦର ନିକଟରେ ରହୁଥିଲେ ମିଳିବନି ୫ଜି ସେବା

ନୂଆଦିଲ୍ଲୀ,୨୬ା୧୨ : ଭାରତରେ ୫ଜି ଟେଲିକମ୍‌ ସେବା ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଛି। ୩ଜି ଏବଂ ୪ଜି ତୁଳନାରେ ଏହା ଅଧିକ ଉନ୍ନତ ଓ ଦ୍ରୁତ ସେବା ଯୋଗାଇଦେବ। ଖୁବ୍‌ଶୀଘ୍ର ଦେଶର କୋଟି କୋଟି ଲୋକ ସେମାନଙ୍କ ମୋବାଇଲ ଫୋନ୍‌ ଏବଂ କମ୍ପ୍ୟୁଟରରେ ଦ୍ରୁତ ଷ୍ଟ୍ରିମିଂ, ଗେମିଂ ଏବଂ କାର୍ଯ୍ୟ କରିବାର ଅଭିଜ୍ଞତା ଅନୁଭବ କରିବେ। ତେବେ ଦେଶର ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକ ୫ଜି ସେବା ପାଇବାରୁ ବଞ୍ଚତ୍ତ ହେବାକୁ ଯାଉଛନ୍ତି। ଏହି ସି-ବ୍ରାଣ୍ଡ୍‌ ୫ଜି ଏୟାରଓ୍ବେଭ୍‌ ବିମାନର ରେଡିଓ ଅଲ୍‌ଟିମିଟର (ରାଡାର) ପାଇଁ ସମସ୍ୟା ସୃଷ୍ଟି କରିବ। କାରଣ ବିମାନ ଉଡ଼ାଣ ଓ ଅବତରଣ ସମୟରେ ପାଇଲଟ୍‌ମାନେ ରାଡାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି।

ସେଥିପାଇଁ ବିମାନବନ୍ଦରର ୨.୧ କିଲୋମିଟର ପରିଧି ମଧ୍ୟରେ ସି-ବ୍ୟାଣ୍ଡ୍‌ ୫ଜି ଟାଓ୍ବାର ସ୍ଥାପନ ନ କରିବାକୁ ଟେଲିକମ୍‌ ବିଭାଗ ନିକଟରେ ଭାରତୀ ଏୟାରଟେଲ୍‌, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍‌କୁ ପତ୍ର ଲେଖିଛି। ୩,୩୦୦ରୁ ୩,୬୭୦ ମେଗାହର୍ଜର ୫ଜି/ଆଇଏମ୍‌ଟି ବେସ୍‌ ଷ୍ଟେଶନ ବିମାନବନ୍ଦର ରନ୍‌ଓ୍ବେର ଉଭୟ ମୁଣ୍ଡରୁ ୨,୧୦୦ ମିଟର ଏବଂ ରନ୍‌ଓ୍ବେ ସେଣ୍ଟର ଲାଇନଠାରୁ ୯୧୦ ମିଟର ଦୂରତା ମଧ୍ୟରେ ସ୍ଥାପନ କରାଯାଇପାରିବ ନାହିଁ ବୋଲି ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ କୁହାଯାଇଛି। ଏୟାରଟେଲ୍‌ ନାଗପୁର, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ଗୁଆହାଟୀ ଏବଂ ପୁଣେ ବିମାନବନ୍ଦର ନିକଟରେ ୫ଜି ବେସ୍‌ ଷ୍ଟେଶନ ସ୍ଥାପନ କରିଥିବାବେଳେ ଜିଓ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବେସ୍‌ ଷ୍ଟେଶନ ବସାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନବନ୍ଦରଗୁଡ଼ିକରୁ ସମସ୍ତ ରେଡିଓ ଅଲ୍‌ଟିମିଟର ଫିଲ୍ଟର ନ ହଟାଇବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

Share