Test tube with blood sample for COVID-19 test, novel coronavirus 2019 found in Wuhan, China
ଛତ୍ରପୁର,୧୨ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା କରୋନା ଯୋଦ୍ଧା ସଂକ୍ରମିତ ହେବାରେ ଲାଗିଛନ୍ତି । ପୁଣି ଜିଲାରେ ୪୩ ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେଥିମଧ୍ୟରେ ଆସିକାରୁ ୧୨, ବେଗୁନିଆପଡା ଓ ଚିକିଟିରୁ ୨ ଜଣ ଲେଖାଏ, ବେଲଗୁଣ୍ଠା ଓ ସୋରଡ଼ାରୁ ୩ ଲେଖାଏ, ବିଏମ୍ସି ଓ ପୋଲସରାରୁ ୭ ଲେଖାଏ, ଭଞ୍ଜନଗର, ବୁଗୁଡ଼ା, ଛତ୍ରପୁର, ଜଗନ୍ନାଥପ୍ରସାଦ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା ଓ ସାନଖେମୁଣ୍ଡିରୁ ଜଣେ ଲେଖାଏ ଅଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୫୮୬ କରୋନା ଯୋଦ୍ଧା ସଂକ୍ରମିତ ହେଲେଣି। ସେଥିରୁ ୧୯୨ସୁସ୍ଥ ହୋଇଥିବା ବେଳେ ୩୯୪ ଜଣ ଆକ୍ଟିଭ ଅଛନ୍ତି। ଅପରପକ୍ଷରେ ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯିବା ସହ ପ୍ରତି ଅଫିସରେ ମନିଟରଙ୍କୁ ନିଯୁକ୍ତି ଦିଆଯାଇଛି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କଠାରେ ଲକ୍ଷଣ ଦେଖାଗଲେ ସେମାନେ ମନିଟରଙ୍କୁ ଜଣାଇବେ। ମନିଟର ଏମାନଙ୍କର ଟେଷ୍ଟିଙ୍ଗ ଓ ଚିକିତ୍ସା ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲାର ବ୍ଲକ, ତହସିଲ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କରୋନା ସଂକ୍ରମିତ ହେଉଥିବାରୁ ଅନ୍ୟ ବିଭାଗର କର୍ମଚାରୀମାନଙ୍କୁ ଏମାନଙ୍କ କାର୍ଯ୍ୟ ବଣ୍ଟନ କରିବା ଆରମ୍ଭ ହୋଇଛି। ଏଥିସହ ଜିଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ସଦର ମହକୁମା ଛାଡି ଅନ୍ୟତ୍ର ଯିବା ଆସିବା କରିବାକୁ ଜିଲାପାଳଙ୍କ ପକ୍ଷରୁ ବାରଣ କରାଯାଇଛି । ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇବା ସହ ଉପଜିଲାପାଳଙ୍କ ପାଶ ଥିଲେ ବାହାର ଜିଲାକୁ ଛଡ଼ାଯାଉଛି ।