ଦୀପାବଳି ପୂର୍ବରୁ ୫୪ ବସ୍ତା ବିସ୍ଫୋରକ ଜବତ

ବୈଶିଙ୍ଗା,୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ମେରଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ବେଆଇନ ବାଣ ଏବଂ ଆତସବାଜି ପ୍ରସ୍ତୁତ କରାଯାଉଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏନେଇ ଥାନା ଅଧିକାରୀ ବାରିଣୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ସୁଶ୍ରୀ ଇତିଶ୍ରୀ ସାହୁ ଓ ଏଏସ୍‌ଆଇ ପ୍ରଦୀପ କୁମାର ଦେଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢାଉ କରି ବାଣ ଭିଡୁଥିବା ସମୟରେ ୩ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ସେମାନେ ହେଲେ ବର୍ତ୍ତନା ଗ୍ରାମର ତ୍ରିଲୋଚନ ସାହୁ , ସତ୍ୟବାନ ସାହୁ ଓ ପ୍ରଦୀପ ସାହୁ।

ଅନ୍ୟପକ୍ଷେ ପୋଲିସକୁ ଦେଖି କେତେଜଣ ଫେରାର ହୋଇଯାଇଥିଲେ। ତେବେ ବାଣ ପ୍ରସ୍ତୁତ ପାଇଁ ରଖା ଯାଇଥିବା ୫୪ ବସ୍ତା ବିସ୍ଫୋରକ ଜବତ କରାଯାଇଛି। ଏନେଇ ପୋଲିସ ଏକ ମାମଲା(ନଂ.୪୯୭/୨୫) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ବାଣ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଦିଗରେ ସଚେତନ କରି ସରକାରଙ୍କ ପକ୍ଷରୁ କର୍ମ ନିଯୁକ୍ତି ଦିଆଗଲେ ସେମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।