ଘୁମୁସର ଉତ୍ତର ବନଖଣ୍ଡରେ ୫୨ ହାତୀ: ଲୋକେ ସେଲ୍‌ଫି ନେବାକୁ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି। ରବିବାର ରାତିରେ ହାତୀ ନିଧିଆପଲ୍ଲୀ ଗାଲେରି ରାସ୍ତାରେ ବହୁ ସମୟ ଅଟକି ରହିଥିଲେ। ଫଳରେ ସମ୍ପୃକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇ ପଡିଥିଲେ। ଏହିଭଳି ପରିସ୍ଥିତିରେ ସୋମବାର ସନ୍ଧ୍ୟାରେ ଗୋଟିଏ ଦନ୍ତା ହାତୀ ବୁଦୁଲି ନିକଟରେ ଜାତୀୟ ରାଜପଥ ପାର ହୋଇଥିଲା। କିନ୍ତୁ ଲୋକେ ଏହି ସମୟରେ ହାତୀ ସହ ସେଲ୍‌ଫି ନେବା ପାଇଁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ଏହିଭଳି ଆଚରଣ ହାତୀକୁ ବିଚଳିତ କରୁଥିବା ଭଳି ମନେ ହେଉଥିଲା। ପରିବେଶବିତ୍ତ ତଥା ଉତ୍ତର ଘୁମୁସର ବନଖଣ୍ଡର ବନ୍ୟପ୍ରାଣୀ ସଭ୍ୟ ରମେଶ ପାତ୍ର ହାତୀମାନେ କିଭଳି ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କର୍ମଚାରୀଙ୍କୁ ଅନୁରେୋଧ କରିଛନ୍ତି। ଫଳରେ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ବ୍ୟବସ୍ଥା କରିଛନ୍ତି