କୋଭିଡ ହସ୍ପିଟାଲରେ ୫୦ ଘୁଷୁରି

ବାଙ୍ଗାଲୋର,୧୯।୭-ସାରା ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ଲୋକେ ମଧ୍ୟ ସଚେତନ ହୋଇ ଘରେ ରହୁଛନ୍ତି। ଏପରିସ୍ଥିତିରେ କର୍ନାଟକର କଲାବୁରାଗି ଜିଲାର କୋଭିଡ-୧୯ ହସ୍ପିଟାଲ ଭିତରେ ମୁକ୍ତ ହୋଇ ୫୦ ଘୁଷୁରି ବୁଲୁଥିବାର ଦେଖିବାକୁ ମିଳିଛି। ଏକ ଜାତୀୟ ଗଣମାଧ୍ୟମରେ ଜାରି ହୋଇଥିବା ଭିଡିଓରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଯେଉଁ କୋଭିଡ ହସ୍ପିଟାଲରେ ଲୋକେ ଚିକିତ୍ସିତ ହେଉଛନ୍ତି ସେଇଠି ଘୁଷୁରିମାନେ ଆରାମରେ ବିଚରଣ କରୁଥିବା ଦେଖାଯାଇଛି। ଅନ୍ୟପକ୍ଷେ ମାଳ ମାଳ ଘୁଷୁରି ଯେଉଁଠି ବୁଲୁଛନ୍ତି ସେହିପାଖ ଦେଇ ଡାକ୍ତର ଏବଂ ଲୋକେ ମଧ୍ୟ ଯିବା ଆସିବା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଫଳରେ ଡାକ୍ତରଖାନର ପରିଚାଳନାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ୧୮ରେ କର୍ନାଟକରେ ୪୫୩୭ ନୂତନ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୫୯,୬୫୨ରେ ପହଞ୍ଚିଛି।