ପାରଳାଖେମୁଣ୍ଡି,୧୬ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ ଅକୋୟାକୋଣ୍ଡା ଗ୍ରାମର ଭେଙ୍କେଟେଶ୍ବର ଶବରଙ୍କ ଖଳାରେ ନିଆଁ ଲାଗି ୫୦ ବସ୍ତାରୁ ଊର୍ଦ୍ଧ୍ୱ ଅମଳ ଧାନ ପୋଡି ପାଉଁଶ ହୋଇଯାଇଛି।
ଭେଙ୍କେଟେଶ୍ବର ଶୁକ୍ରବାର ସକାଳ ୧୧ଟା ପର୍ଯ୍ୟନ୍ତ ନିଜ ଧାନଖଳାରେ ଉପସ୍ଥିତ ଥିଲେ। ପରେ ସେ ଗାଧୋଇବାକୁ ଯାଇଥିଲେ। ଅଧଘଣ୍ଟା ପରେ ପୁଣି ଖଳାକୁ ଆସି ଧାନଗଦାରେ ନିଆଁ ଲାଗିଥିବା ଦେଖିଥିଲେ । ତୁରନ୍ତ ଗାରାବନ୍ଧା ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପ୍ରଶାନ୍ତ ନିସିକା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭେଙ୍କେଟେଶ୍ବର ଜଣେ ଭାଗ ଚାଷୀ। ବିଗତ ବର୍ଷ ମଧ୍ୟ ତାଙ୍କ ଖଳାରେ ନିଆଁ ଲାଗି ବହୁ ପରିମାଣର ଧାନ ନଷ୍ଟ ହୋଇଯାଇଥିଲା। ଚଳିତ ବର୍ଷ ମଧ୍ୟ ଏପରି ଧାନଖଳାରେ ନିଆଁ ଲାଗିଯାଇଥିବାରୁ କେହି ଦୁର୍ବୃତ୍ତ ଏପରି କରୁଥିବା ଆଲୋଚନା ହେଉଛି। ଏନେଇ ଗାରାବନ୍ଧ ଥାନାର ଦ୍ବାରସ୍ଥ ହେବି ବୋଲି ଭେଙ୍କେଟେଶ୍ବର କହିଛନ୍ତି।