ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ହରଡ଼ାପଦର ଗ୍ରାମରେ ସୋମବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ୫ ବର୍ଷୀୟ ନାବାଳକ ରବି ମାଝୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ବଡଭାଇ ୮ ବର୍ଷୀୟ ସାମ୍ବରୁ ମାଝୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନଅଛନ୍ତି। ତାଙ୍କ ବାପା କାଣୁ ମାଝୀ ମା’ ଚାଷଜମିକୁ ଯାଉଥିବା ବେଳେ ଦୁଇ ଭାଇ ପଛରେ ଯାଉଥିଲେ। ନିକଟସ୍ଥ ଜଙ୍ଗଲରୁ ଆସି ହାତୀ ଆକ୍ରମଣ କରିଥିଲା। ଗ୍ରାମବାସୀ ହାତୀକୁ ଘଉଡାଇବା ପାଇଁ ବନବିଭାଗକୁ ଖବର ଦେଇଥିଲେ।
ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ହାତୀ ଉପଦ୍ରବ ଜାରି ରହିଛି, ଯାହା ଧନଜୀବନ ଓ ଚାଷବାସ ନଷ୍ଟ କରୁଛି। ଘଟଣାସ୍ଥଳରେ ପହଞ୍ଚି ବନପାଳ ଧରଣୀଧର ପଣ୍ଡା, ଏସିଏଫ ନରୋତ୍ତମ ମାଝୀ, ବିଡ଼ିଓ ଅନିମେଶ ପ୍ରଧାନ ଓ ବିଜେପୁର ଥାନା ପୋଲିସ ତଦନ୍ତ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ କ୍ଷତିପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା (କେସ ନଂ ୯/୨୫) ରୁଜୁ ହୋଇଛି। ଘଟଣାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।