ଖଜୁରୀପଡ଼ା,୧୬।୧୦( ବିଦୁର ବେହେରା) ଗ୍ରାମାଞ୍ଚଳ ଲୋକଙ୍କ ଯାତାୟାତ ସୁବିଧା ପାଇଁ ଓଡ଼ିଶା ସରକାର ଆମ- ବସ୍ ସେବା ଯୋଗାଇ ଦେଇଛନ୍ତି । ହେଲେ ୫ ଖଣ୍ଡ ଗ୍ରାମବାସୀ ଏହି ସେବାରୁ ବଞ୍ଚିତ ହୋଇ ୫କି.ମି ବାଟ ଚାଲି ଚାଲି ଯାଆନ୍ତି। ଏହି ସମସ୍ୟାକୁ ନେଇ ମା ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ଏବଂ ପୂର୍ବତନ ଉପସଭାପତି ଗୋକୁଳ ସାହାଣୀ ଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ପ୍ରକାରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପାଠାରୁ ବାର ପୁଲିଆ ପର୍ଯ୍ୟନ୍ତ ଆମ- ବସ୍ ଗାଡ଼ି ଚଳାଚଳ ହେଉ ନ ଥିବାରୁ ବୁରୁପଦା,ସିଦୀଙ୍ଗି, ଡଲା ବାଲି, ମାଲଗୁଣ୍ଡି,ରାଇଖୋଲ ଗ୍ରାମର ଲୋକମାନେ ଯାତାୟାତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖାଲି ଏହି ୫ ଖଣ୍ଡ ଗ୍ରାମର ଗ୍ରାମବାସୀ ହଇରାଣ ହେଉ ନାହାନ୍ତି । ଏମିତିକି ବଲସକୁମ୍ପା ଅଞ୍ଚଳର ଲୋକମାନେ ମଧ୍ୟ ବ୍ଲକ,ଥାନା,କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଛନ୍ତି। ଆଦର୍ଶ ବିଦ୍ୟାଳୟ ଦୂତି ମେଣ୍ଡୀ ଏବଂ ଆମ୍ବେଦକର ମହାବିଦ୍ୟାଳୟ ଖଜୁରୀପଡ଼ାରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନେ ସକାଳୁ ସକାଳୁ ୫ କି.ମି ବାଟ ଚାଲି ଚାଲି ବାର ପୁଲିଆ ଛକକୁ ଯିବା ପରେ ସେଠାରୁ ଫୁଲବାଣୀ ଖଜୁରୀପଡ଼ା ବସ୍ରେ କଲେଜ ଯାଆନ୍ତି । ଏହି ସମସ୍ୟାକୁ ନେଇ ଅନେକ ଥର ଦୂତି ପଡା ପଞ୍ଚାୟତର ସରପଞ୍ଚ ଜାନକୀ ଜାନି,ସମିତି ସଭ୍ୟ ଶୁକଦେବ ସେଠୀ,ବଲସକୁମ୍ପା ପଞ୍ଚାୟତର ସମିତି ସଭ୍ୟ ବିବାନ ଗଣ୍ଡା,ସମାଜ ସେବୀ ବିଦୁର ବେହେରା ପ୍ରମୁଖ ଆମ-ବସ୍ ସେବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ ଆନ୍ତରିକତା ଅଭାବରୁ ହେୟ ମନେ କରି ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଜିଲାପାଳ ବେଦଭୂଷଣଙ୍କୁ ମା ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ବିଦୁର ବେହେରା, ପୂର୍ବତନ ଉପସଭାପତି ଗୋକୁଳ ସାହାଣୀ ପ୍ରମୁଖ ସାକ୍ଷାତ କରି ଏହି ସମସ୍ୟା ଉପରେ ଅବଗତ କରାଇବା ସହିତ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପାଇବା ପରେ ଜିଲାପାଳ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଉପସଭାପତି ଗୋକୁଳ ସାହାଣୀ କହିଛନ୍ତି । ପ୍ରକାଶ ଥାଉ କି ଜିଲାପାଳ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆମ ବସ୍ ସେବା କେବେ ଯୋଗାଇ ଦେବେ ,ଏହି ୫ ଖଣ୍ଡ ଗ୍ରାମର ଯାତାୟାତ ସୁବିଧା କେବେ ହେବ ସେହି ଅପେକ୍ଷାରେ ଅଞ୍ଚଳବାସୀ।