ନୂଆଦିଲ୍ଲୀ,୭ା୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଗୁରୁବାର ହୋଇଥିବା ସୀମାପାର ଗୁଳି ବିନିମୟରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପଟରୁ ଜଣେ ଡାକ୍ତରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଉଭୟ ଦେଶ ଏହି ହିଂସା ପାଇଁ ପରସ୍ପରକୁ ଦାୟୀ କରିଛନ୍ତି।
ଆଫଗାନିସ୍ତାନର ଦକ୍ଷିଣ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଜିଲା ଡାକ୍ତରଖାନାର ଜଣେ ଅଧିକାରୀଙ୍କ ଅନୁଯାୟୀ, “ଆଜିର ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଚାରି ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଏହା ବ୍ୟତୀତ ୬ ଜଣ ଆହତ ହୋଇଛନ୍ତି।” ତେବେ ପାକିସ୍ତାନ ପଟରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
ଏହି ହିଂସା ଏପରି ଏକ ସମୟରେ ଘଟିଛି, ଯେତେବେଳେ ଉଭୟ ଦେଶ ମଧ୍ୟରେ ସାଂଘାତିକ ସଂଘର୍ଷକୁ ଶେଷ କରିବା ଲକ୍ଷ୍ୟରେ ତୁର୍କୀରେ ଯୁଦ୍ଧବିରତି ବୁଝାମଣା ଚାଲିଛି।
ତାଲିବାନ ସରକାରର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଇସ୍ତାନବୁଲରେ ପାକିସ୍ତାନ ପକ୍ଷ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିବାବେଳେ ଦୁର୍ଭାଗ୍ୟବଶତଃ ପାକିସ୍ତାନୀ ବାହିନୀ ପୁଣି ଥରେ ସ୍ପିନ୍ ବୋଲଡାକ୍ ଉପରେ ଗୁଳି ଚଳାଇଛି। ସେ କହିଛନ୍ତି ଯେ ଆଲୋଚନା ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ସମ୍ମାନ ଦେଇ ଆଫଗାନ୍ ବାହିନୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଖାଇ ନାହିଁ।
ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିଛି ଏବଂ ଦୋଷ ଆଫଗାନିସ୍ତାନ ଉପରେ ପକାଇଛି। ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି, “ଆଫଗାନ୍ ପକ୍ଷରୁ ଗୁଳି ଚଳାଯାଇଥିଲା, ଯାହାର ଜବାବରେ ଆମର ସୁରକ୍ଷା ବାହିନୀ ତୁରନ୍ତ ଏକ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ଜବାବ ଦେଇଥିଲେ।”
ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନା ଯୁଦ୍ଧବିରତିର ଚୂଡ଼ାନ୍ତ ବିବରଣୀ ଉପରେ ସହମତି ନ ହୋଇ ଶେଷ ହୋଇଥିଲା। ଉଭୟ ପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ଏକ ପର୍ଯ୍ୟବେକ୍ଷଣ ଓ ଯାଞ୍ଚ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।