ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି ବଢିବାରେ ଲାଗିଛି। ଚଳିତ ବର୍ଷ ବାରମ୍ବାର ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଥିବା ଦେଖାଯାଉଛି। ଏହି କ୍ରମରେ ୫ ଜଣିଆ ଜର୍ମାନ ପର୍ଯ୍ୟଟକ ସାଇକେଲରେ ଯାତ୍ରା କରି ଇକୋ ରିଟ୍ରିଟରେ ଶୁକ୍ରବାର ରାତ୍ରିଯାପନ କରିଥିଲେ। ସେମାନେ ଶନିବାର ମଧ୍ୟ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲି ସାରିବା ପରେ ରାୟଗଡା ଦେଇ କୋରାପୁଟ ଗସ୍ତ କରିଥିବା ଜଣାପଡିଛି।
ତେବେ ଏହି ସାଇକଲରେ ବୁଲୁଥିବା ପର୍ଯ୍ୟଟକ ମାନେ ହେଲେ କାସ୍ପେର ବ୍ଲାଞ୍ଜ, ଫ୍ରାଙ୍କ ଜର୍ଗ, ଜର୍ଗ ଭେରେନା ରିଚର ଓ ଫେଲି ଲିକ୍ସ କାରନେଜ ରହିଥିଲେ। ସେମାନେ ଦାରିଙ୍ଗବାଡ଼ି ବୁଲି ପ୍ରକୃତିର ଭରପୁର ମଜା ନେଇଥିବା କହିଛନ୍ତି। ଏହାଛଡ଼ା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ବୁଲିବା ସହ ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ ଜୀବନଶୈଳୀ ଖାଦ୍ୟ, ପୋଷାକ, ଆଦି ସମ୍ପର୍କରେ ବୁଲି ଦେଖିବା ସହ ପ୍ରଂଶସା କରିଥିଲେ। ଏଭଳି ପର୍ଯ୍ୟଟନ କ୍ଷେତ୍ରକୁ  ପରିବାର, ସମ୍ପର୍କୀୟଙ୍କ ସହ ଅନେକ ସ୍ଥାନରେ ପ୍ରଚାର କରାଇବୁ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

Share