Asia Cup: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫ କ୍ରିକେଟର ଡେବ୍ୟୁ କରିବା ନିଶ୍ଚିତ! ଧାଡ଼ିରେ ଏହି ୮ ଖେଳାଳି

ନୂଆଦିଲ୍ଲୀ,୧୩।୯: କ୍ରିକେଟ ଜଗତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ ସବୁବେଳେ ରୋମାଞ୍ଚ ଓ ଉତ୍ସାହରେ ଭରପୂର ହୋଇଥାଏ। ଏସିଆ କପ ୨୦୨୫ରେ ଆସନ୍ତା ୧୪ ସେପ୍ଟେମ୍ବରରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ମହାମୁକାବିଲା ଦେଖିବାକୁ ମିଳିବ। ଏହା ହେଉଛି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍‌ ଏବଂ ଭାରତୀୟ ଦଳର ସୁପର-୪ରେ ପ୍ରବେଶ କରିବା ଲକ୍ଷ୍ୟ ରହିବ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ଟିମ ଇଣ୍ଡିଆର କିଛି ଖେଳାଳିଙ୍କ ବିଶେଷ ଡେବ୍ୟୁ ଦେଖିବାକୁ ମିଳିପାରେ।
ଏଥର ଭାରତୀୟ ସ୍କ୍ବାର୍ଡରେ ୮ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ କୌଣସି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳି ନାହାନ୍ତି। ଏମାନେ ହେଉଛନ୍ତି ଶୁଭମନ ଗିଲ, ସଞ୍ଜୁ ସାମସନ, ଜିତେଶ ଶର୍ମା, ରିଙ୍କୁ ସିଂ, ଅଭିଷେକ ଶର୍ମା, ତିଲକ ବର୍ମା, କୁଲଦୀପ ଯାଦବ ଓ ହର୍ଷିତ ରାଣା। ତେଣୁ ଏଥର ଅନେକ ଭାରତୀୟ ଖେଳାଳି ପାକିସ୍ତାନ ବିପକ୍ଷରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇବେ। ଯଦି ଭାରତୀୟ ଦଳ ପୂର୍ବ ମ୍ୟାଚର ପ୍ଲେଇଂ ଇଲେଭେନ ସହିତ ମଇଦାନକୁ ଓହ୍ଲାଏ, ତେବେ ୫ ଜଣ ଖେଳାଳିଙ୍କ ପାକିସ୍ତାନ ବିପକ୍ଷରେ ଟି-୨୦ ଡେବ୍ୟୁ ନିଶ୍ଚିତ।
ୟୁଏଇ ବିପକ୍ଷରେ ଖେଳିଥିବା ଟିମ ଇଣ୍ଡିଆର ପ୍ଲେଇଂ ୧୧ରେ ଶୁଭମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ ଓ କୁଲଦୀପ ଯାଦବ ଏହି ୫ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପାକିସ୍ତାନ ବିପକ୍ଷରେ କୌଣସି ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ଅଭିଷେକ ଶର୍ମା, ତିଲକ ବର୍ମା ଓ ସଞ୍ଜୁ ସାମସନ ପାକିସ୍ତାନ ବିପକ୍ଷରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳି ନାହାନ୍ତି। ଅନ୍ୟପକ୍ଷରେ ଶୁଭମନ ଗିଲ ଓ କୁଲଦୀପ ଯାଦବ ପାକିସ୍ତାନୀ ଦଳ ବିପକ୍ଷରେ ଦିନିକିଆ ମ୍ୟାଚରେ ଭାଗ ନେଇସାରିଛନ୍ତି।
ଟିମ୍‌ ଇଣ୍ଡିଆର ସ୍କ୍ବାର୍ଡରେ ମୋଟ ୭ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପାକିସ୍ତାନ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିଛନ୍ତି। ଏମାନେ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ। ଏମାନଙ୍କ ମଧ୍ୟରେ କେବଳ ଅର୍ଶଦୀପ ସିଂ ହିଁ ଟିମ ଇଣ୍ଡିଆର ପୂର୍ବ ମ୍ୟାଚରେ ପ୍ଲେଇଂ ୧୧ର ଅଂଶ ନ ଥିଲେ। ତେଣୁ ତାଙ୍କର ପ୍ଲେଇଂ ୧୧ରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ ସସପେନ୍ସ ରହିଛି। ତେବେ ଏହି ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ଲଢେଇ ହେବ ବୋଲି ଆଶା କରାଯାଉଛି, ଯେଉଁଥିରେ ନୂଆ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିବ।